ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଉସ୍ତାଦ ତ୍ରିଲୋଚନ ମହାନ୍ତ ଆଗାମୀ ପୀଢ଼ି ପାଇଁ ପ୍ରେରଣା ଉତ୍ସ
ବାରିପଦା : ଛଉ ନୃତ୍ୟ କରି ଆମେ କ\’ଣ ପାଇବୁ ବୋଲି ଅନେକେ ପ୍ରଶ୍ନ କରୁଥିବା ବେଳେ ଉସ୍ତାଦ ତ୍ରିଲୋଚନ ମହାନ୍ତଙ୍କୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବା ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଉସ୍ତାଦ ଶ୍ରୀ ମହାନ୍ତଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ମୟୂରଭଂଜ ଜିଲ୍ଲାପାଳ ବିନୀତ କୁମାର ଭରଦ୍ୱାଜ କହିଛନ୍ତି । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୟୂରଭଂଜ ଛଉ ନୃତ୍ୟର ପୋଖତ ନୃତ୍ୟଶିଳ୍ପୀ ତଥା ଗୁରୁ ଉସ୍ତାଦ ତ୍ରିଲୋଚନ ମହାନ୍ତଙ୍କୁ ମହାମହିମ ରାଷ୍ଟ୍ରପତି କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି । ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ଏହା ଦେଶ ର ସର୍ବୋଚ୍ଚ ସମ୍ମାନ ହୋଇଥିବା ବେଳେ ଏହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସି ର ଲହରୀ ଖେଳି ଯାଇଛି ।ପ୍ରୋଜେକ୍ଟ ଛାଉଣୀର ନିର୍ଦ୍ଦେଶକ ବିଭୁଦତ ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ମୟୂରଭଞ୍ଜ ମହାରାଣୀ ଶ୍ରୀମତୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଂଜଦେଓ, ଉତର ସାହୀ ଛଉ ନୃତ୍ୟ ପ୍ରତିଷ୍ଠାନର ପୂର୍ବତନ ସଭାପତି ଆଇନଜିବୀ ବିଭୁ ପ୍ରସାଦ ଦାସ, ବରିଷ୍ଠ ସଂଗଠକ ଶ୍ରୀ ଛୋଟେଲାଲ ମହାନ୍ତ ପ୍ରମୁଖ ଯୋଗଦେଇ ଉସ୍ତାଦ ଶ୍ରୀ ମହାନ୍ତ ବର୍ତମାନ ତଥା ଭବିଷ୍ୟତର ଛଉ ନୃତ୍ୟ ଶିଳ୍ପୀଙ୍କ ପାଇଁ ଜଣେ ରୋଲ ମଡେଲ ଏବଂ ଆଗାମୀ ଦିନ ରେ ଛଉ ନୃତ୍ୟ କଳାକାର ମାନେ ଅଧିକ ଏକାଗ୍ରତାର ସହିତ ନୃତ୍ୟାଭ୍ୟାସ କରିବାକୁ ପ୍ରେରଣା ପାଇବେ ବୋଲି କହିଥିଲେ । ଏହି ଉତ୍ସବରେ ବାରିପଦା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ସଂଗଠକ, ନୃତ୍ୟଶିଳ୍ପୀ, କଳାପ୍ରେମୀ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପରିଶେଷରେ ଉସ୍ତାଦ ପାଗୁଲୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
