ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ : ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍
ସାଉଥାମ୍ପଟନ୍: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲର ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ ଓଭର ୨ ବଲ ଖେଳି ନ୍ୟୁଜିଲାଣ୍ଡ ଦଳ ଅଲଆଉଟ ହୋଇଯାଇଛି । ଏହି ଇଂନିସରେ ନ୍ୟୁଜିଲାଣ୍ଡ ପକ୍ଷରୁ କୋନୱେ ୫୪, ୱିଲିୟମସନ ୪୯ ଓ ଟିମ ସାଉଦି ୩୦ ରନ କରିଥିଲେ । ଫଳରେ ଦଳ ୨୪୯ ରନ କରିପାରିଥିଲା । ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୪, ଇଶାନ୍ତ ଶର୍ମା ୩ ଓ ଅଶ୍ୱିନୀ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ବଡ ସ୍କୋର କରିପାରିନଥିଲା । ଭାରତ ପ୍ରଥମ ଇଂନିସରେ ୨୧୭ ରନ କରିଥିଲା । ଏଥିରେ ବିରାଟ କୋହଲି ୪୪, ରାହାଣେ ୪୯ ଓ ରୋହିତ ଶର୍ମା ୩୪ ରନ କରିପାରିଥିଲେ । ଏବେ ପୁଣି ଭାରତ ଦ୍ୱିତୀୟ ଇଂନିସରେ ବ୍ୟାଟିଂ ଜାରି ରଖିଛି ।
ତୃତୀୟ ଦିନର ଅସମାପ୍ତ ଖେଳ ୨/୧୦୧ରୁ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ କେନ ଓ୍ଵିଲିୟମସନ(୧୨) ଓ ରସ ଟେଲର(୦)। ହେଲେ ଏହି ଯୋଡି ଅଧିକ ସମୟ ତିଷ୍ଠି ପାରିନଥିଲେ। ୧୧୭ ରନ ସ୍କୋରରେ ମହମ୍ମଦ ସାମି ଟେଲର(୧୧)ଙ୍କୁ ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍ରେ ଭାରତୀୟ ବୋଲର ମଧ୍ୟ ଶାଣିତ ବୋଲିଂ କରିଥିଲେ। ପ୍ରଥମ ସେସନରେ ଭାରତ ୩ ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡ ରନ ଉପରେ ଅଙ୍କୁଶ ଲଗାଇଥିଲେ। ଏହା ପରେ ୧୩୪ ରନ ସ୍କୋରରେ ହେନରି ନିକୋଲାସ(୧)ଙ୍କୁ ପାଭିଲିୟନ ପଠାଇଥିଲେ ଇଶାନ୍ତ ଶର୍ମା। ଏହାର ଗୋଟିଏ ରନ ସ୍କୋରରେ ବିଜେ ଓ୍ଵାଟଲିଙ୍ଗ୍(୧)ଙ୍କୁ କ୍ଲିନ ବୋଲ୍ଡ କରି ନ୍ୟୁଜିଲାଣ୍ଡର ଅଧା ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ। ହେଲେ ଅନ୍ୟପଟୁ କ୍ରିଜରେ ଜମି ରହିଥିଲେ ଅଧିନାୟକ କେନ ଓ୍ଵିଲିୟମସନ। କୋଲିନ ଡି ଗ୍ରାଣ୍ଡହୋମ(୧୩)ଙ୍କୁ ସାମି ଆଉଟ୍ କରିଥିଲେ। କାଇଲ୍ ଜେମିସନ ଦ୍ରୁତ ବ୍ୟାଟିଂ କରି ୧୬ ବଲରୁ ୨୧ ରନ କରି ଆଉଟ୍ ହୋଇଥିଲେ। ୧୯୨ ରନରେ ୭ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା କିଓ୍ଵି ଦଳ ୨୨୦ ଭିତରେ ସୀମିତ ରହିବେ। ଶେଷ ଆଡକୁ ଟିମ୍ ସାଉଦି ୩୦ ରନର ଉଲ୍ଲେଖନୀୟ ରନ କରିଥିଲେ। ଓ୍ଵିଲିୟମସନ ୪୯ ରନ କରି ଅଷ୍ଟମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଇଶାନ୍ତ ଶର୍ମା ଓ୍ଵିଲିୟମସନଙ୍କୁ ଆଉଟ୍ କରି ତୃତୀୟ ସଫଳତା ହାସଲ କରିଥିଲେ। ସାଉଦି(୩୦)ଙ୍କ ଆଉଟ୍ କରି ଜାଡେଜା ନ୍ୟୁଜିଲାଣ୍ଡ ଇନିଂସକୁ ୨୪୯ ରନରେ ସମାପ୍ତ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୭୬ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ଵିନ ୨ ଏବଂ ରବୀନ୍ଦ୍ର ଜାଡେଜା ୧ ଓ୍ଵିକେଟ୍ ନେଇଥିଲେ।
