‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଶୁଭାରମ୍ଭ, ଭୁବନେଶ୍ୱରରୁ ଆଜମେର୍ ଓ ପୁଷ୍କର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଯାତ୍ରା
ଭୁବନେଶ୍ବର : ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଶୁଭାରମ୍ଭ । ଭୁବନେଶ୍ୱରରୁ ଆଜମେର୍ ଓ ପୁଷ୍କର ଅଭିମୁଖେ ଶନିବାର ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାର ଶୁଭାରମ୍ଭ ହୋଇଛି।
ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରି ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ, କରୋନା ପାଇଁ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ପାଇଁ ବନ୍ଦ ଥିବା ଏହି ତୀର୍ଥଯାତ୍ରା ପୁଣି ଆରମ୍ଭ ହୋଇଛି। ଚଳିତବର୍ଷ ୭ ହଜାର ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରମଣର ବ୍ୟବସ୍ଥା ହୋଇଛି। ଏଥିପାଇଁ ୭ଟି ଯାତ୍ରାର ବ୍ୟବସ୍ଥା କରାଯାଇଛି। ଯାତାୟାତ, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟସେବା ଆଦି ସବୁ ପ୍ରକାର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ଏହି ଯୋଜନାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଆଦି ୬ଟି ଜିଲାରୁ ଚୟନ କରାଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ଆଜମେର ଓ ପୁଷ୍କର ତୀର୍ଥଯାତ୍ରା କରି ସମସ୍ତ ଦିବ୍ୟ ଅନୁଭୂତି ନେଇ ଫେରିବେ। ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ରେଳ ଷ୍ଟେସନ୍ର ୧ ନମ୍ବର ପ୍ଲାଟଫର୍ମରୁ ନିର୍ଦ୍ଧାରିତ ଦିନ ୧୨.୪୫ମିନିଟ୍ରେ ବାହାରିଥିଲା। ବରିଷ୍ଠ ନାଗରିକ ଓ ସେମାନଙ୍କ ପାଇଁ ସୁରକ୍ଷା ଅଧିକାରୀମାନଙ୍କୁ ମିଶାଇ ମୋଟ ହଜାରେ ଯାତ୍ରୀ ଅଜମେର୍ ଓ ପୁଷ୍କରକୁ ଯାତ୍ରା କରିଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଅଶ୍ୱିନୀ ପାତ୍ର, ସାଂସଦ ରାଜଶ୍ରୀ ମଲ୍ଲିକ, ସୁଲତା ଦେଓ, ବିଧାୟକ ପ୍ରଶାନ୍ତ ମୁଦୁଲି, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସାବିତ୍ରୀ ଅଗ୍ରୱାଲ, ମେୟର ସୁଲୋଚନା ଦାସ, ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ଏହି ଯୋଜନାର ଉପଦେଷ୍ଟା ଦୁର୍ଗାପ୍ରସାଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାର୍ଯ୍ୟକାରୀ ହେଉଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା ବୋଲି ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଏବଂ ଖୋର୍ଦ୍ଧା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଡେପୁଟି ମେୟର ମଂଜୁଲତା କଅଁର, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ ସ୍ୱାଇଁ, ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ, ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥାପକ ମୃତ୍ୟୃଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ବ୍ଲକ୍ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା ଧନ୍ୟବାଦ ଦେଇଥିଲେ।
