ଆଜି ଠାରୁ ଆରମ୍ଭ ହେବ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନ ସେବା
ଭୁବନେଶ୍ୱର : ଆଜି ଠାରୁ ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଆରମ୍ଭ ହେବ ସ୍ବତନ୍ତ୍ର ଚାର୍ଟର ବିମାନସେବା । ପ୍ରଥମ ଦିନ ୯ ଜଣ ଯାତ୍ରୀଙ୍କୁ ନେଇ ଏହି ବିମାନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀରେ ରଙ୍ଗେଇଲୁଣ୍ଡାରୁ ରାଜଧାନୀ ଅଭିମୁଖେ ଯାତ୍ରା କରିବ। ପ୍ରଥମ ବିମାନର ପ୍ରସ୍ତୁତି ଏବଂ ଏୟାରଷ୍ଟ୍ରିପ ଟର୍ମିନାଲରେ କାର୍ଯ୍ୟ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ତଥା ପରାମର୍ଶକ୍ରମେ ଗଞ୍ଜାମବାସୀଙ୍କ ଦୀର୍ଘ ଦିନର ଦାବି ତଥା ଆଶା ପୂରଣ ହେବାକୁ ଯାଉଛି ।
ପ୍ରସ୍ତାବିତ ବି-୨ ଟାଇପ୍ ବିମାନବନ୍ଦର କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ଲାଗିଛି । ଅସ୍ଥାୟୀ ଟର୍ମିନାଲ, ଟିକେଟ୍ କାଉଣ୍ଟର, ରନୱେ ବ୍ଲାକ୍ ଟପ୍ ଫିଲିଂ, ଚତୁଃପାର୍ଶ୍ବ ପାଚେରୀ କାମ ସରିଛି । ଭୂତଳ ବିଦ୍ୟୁତୀକରଣ କାମ ଚାଲିଛି । ବର୍ତ୍ତମାନ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ୯୭୫ ମିଟର ଲମ୍ବା, ୧୫୦ ମିଟର ଓସାର ଏବଂ ଏହାର ରନୱେ ୭୫୦ ମିଟର ରହିଛି । ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଏକର ଖାଲି ଜମି ରାଜସ୍ୱ ବିଭାଗକୁ ହସ୍ତାନ୍ତର ସରିଛି । ଘରୋଇ ୧୫ ଏକର ଜମି ଅଧଗ୍ରହଣ ପରେ ସମ୍ପ୍ରସାରଣ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ।
ସୂଚନା ଯେ, ବାୟୁସେନାର ସମ୍ପ୍ରସାରଣ ତଥା ବିକାଶ ପାଇଁ ମନ୍ତ୍ରଣାଳୟ ଦ୍ୱାରା ୫୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଯାହା ୧୯୩୬ ମସିହାରେ ମୁଖ୍ୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ନେବା ପାଇଁ ସ୍ଥାପିତ ହୋଇଥିଲା । ୨୦୧୨ରେ ବ୍ରହ୍ମପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ପରିଣତ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ ।
