ଦେବର୍ଷି ଶିକ୍ଷା ନିକେତନରେ ମାତୃ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସହରର ଖପରାପଦା ସ୍ଥିତ ‘ଦେବର୍ଷି ଶିକ୍ଷା ନିକେତନ’ର ଅଷ୍ଟମ ବାର୍ଷିକ ମାତୃ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅଞ୍ଜଳି ପଣ୍ଡା, ସାମ୍ବାଦିକା ସୁମନା ପରଡ଼ା, ରେମୁଣା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ ରସାନନ୍ଦ ମହାପାତ୍ର, ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାଶ ଓ ସାମାଜିକ କର୍ମୀ ତଥା ନାରୀନେତ୍ରୀ ଅପର୍ଣ୍ଣା ସାହୁ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୁଦ୍ଧ ବିଚାରଯୁକ୍ତ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ସଂସ୍କାରଯୁକ୍ତ ପରିବାର ଓ ସାମାଜିକ ଗଠନରେ ମାଆମାନଙ୍କ ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଭାଗବତ ଚନ୍ଦ୍ର ପାତ୍ର ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜିକା ନିବେଦିତା ଦେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ମାଆମାନଙ୍କ ମଧ୍ୟରେ ରଙ୍ଗୋଲି, ମୁରୁଜ, କୁଇଜ୍, ଶଙ୍ଖଧ୍ୱନି, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ମାନସ ରଂଜନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ ।
