ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତ ଆଜି
ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ତାଙ୍କ ଦିଲ୍ଲା ଗସ୍ତ ଖବର ମିଳିବା ପରେ ବିହାର ରାଜନୀତି ସରଗରମ ହୋଇଉଠିଛି। ତାଙ୍କର ଏହି ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଦଳ ପକ୍ଷରୁ କୁହାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସେ ଭେଟିବା ସମ୍ପର୍କରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ମୁଖ୍ୟତଃ ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣ ଆଶା କରାଯାଉଥିବା ବେଳେ ସେଥିରେ ନୀତୀଶଙ୍କ ଜେଡିୟୁ ସାମିଲ ହେବା ଘଟଣା ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି। ଆଜି ନୀତୀଶ ତାଙ୍କର ଚକ୍ଷୁ ଚିକିତ୍ସା ପାଇଁ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ, ମନ୍ତ୍ରିମଣ୍ଡଳରେ କିଏ ରହିବ ବା ଯିବ, ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭର କରେ। ସୁତରାଂ ଏଥିରେ ନୀତୀଶଙ୍କର କୌଣସି ଭୂମିକା ନାହିଁ ବୋଲି ଜେଡିୟୁ ସାଂସଦ ଲାଲନ୍ ସିଂହ ସଫେଇ ଦେଇଛନ୍ତି।
ସୂଚନା ଯେ, ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ରେ ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ପରଠାରୁ ଏନ୍ଡିଏ ସହଯୋଗୀ ଜେଡିୟୁର ୧୬ ଜଣ ଲୋକସଭା ସାଂସଦ ଥାଇ ସୁଦ୍ଧା ନୀତୀଶଙ୍କ ଦଳ ଗତ ଦୁଇ ବର୍ଷ ହେଲା କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ଦୂରେଇ ରହିଆସିଛି। ଅପରପକ୍ଷେ, ନିକଟରେ ଚିରାଗ ପାଶ୍ବାନଙ୍କ ୬ ସାଂସଦ ବିଶିଷ୍ଟ ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ୫ ଜଣ ବିଦ୍ରୋହ କରି ଦଳର ମୁଖ୍ୟ ପାଲଟିଥିବା ସାଂସଦ ପଶୁପତି ପାରସ ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ସୁତରାଂ ନୀତୀଶଙ୍କ ଏହି ଗସ୍ତ ପଛରେ ତାଙ୍କ ଦଳକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି ବୋଲି ରାଜନୀତି ସମୀକ୍ଷକଙ୍କ ମତ।
