ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, ୨ଘଣ୍ଟା ରାଜପଥ ଅବରୋଧ
ସିମୁଳିଆ : ସିମୁଳିଆ ଥାନା ଠାରୁ ୫ କିମି ଦୂର ୧୬ନଂ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ଶନିବାର ଅପରାହ୍ନ ସାଢ଼େ ୫ଟା ସମୟରେ ଟ୍ରକ୍ (ନଂ. ଓଆର୍୦୫ଏପି-୦୦୧୭) ଧକ୍କାରେ କୈଳାସ ଲେଙ୍କା (୫୧) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତାଙ୍କ ଘର ସ୍ଥାନୀୟ ସୋର ବ୍ଲକ ଅଧୀନ ସାଜନପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।
କୈଳାସ ସାଇକେଲ ଯୋଗେ ସ୍ଥାନୀୟ ବଜାରକୁ ଆସୁଥିବା ବେଳେ ଟ୍ରକ୍ଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜପଥ ସମ୍ପ୍ରସାରଣ କାର୍ଯ୍ୟାଦେଶ ନେଇଥିବା ସମ୍ପୃକ୍ତ କମ୍ପାନୀ ନିର୍ମାଣ କାର୍ଯ୍ୟ ବିଳମ୍ବ କରିବା ଓ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଜନ ଜୀବନ ହାନିହେବା କାରଣକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ପରେ ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ପ୍ରଦାନର ପ୍ରତିଶୃତି ପରେ ୭ଟା ୩୦ରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍ଟିକୁ ଅଟକ ରଖିଛି ।
