ଦମ୍ପତ୍ତିଙ୍କୁ ଗଳାକାଟି ହତ୍ୟା ଘଟଣା : ସାନଭାଇ ଓ ସାଙ୍ଗ ଗିରଫ, ଖଣ୍ଡା ଓ ଛୁରା ଜବତ
ସୋର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସବିରା ପଞ୍ଚାୟତର ମୁନିସବିରା ଗ୍ରାମର ଦମ୍ପତ୍ତି ରଘୁନାଥ ବେହେରା (୩୫) ଓ ପତ୍ନୀ ପ୍ରଭାତି ବେହେରା (୩୦)ଙ୍କୁ ଏସିଡ୍ ମାଡ଼ ସହ ଗଳାକାଟି ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଘଟଣଣାର ମୁଖ୍ୟ ଅଭିଯୁକ୍ତ ରଘୁନାଥର ସାନଭାଇ ମଧୁସୂଦନ ବେହେରା ଓ ତାଙ୍କ ସହଯୋଗୀ ସ୍ଥାନୀୟ ସବିରା ଉଡ଼ାପଦା ଗ୍ରାମର ମାନସ ଜେନା ଗିରଫ । ମିଳିଥିବା ମଦ ବୋତଲରୁ ହତ୍ୟାକାଣ୍ଡର ଗୁମର ଖୋଲିଥିବା ବେଳେ ଜମି ବିକ୍ରି ଟଙ୍କାକୁ ନେଇ ଭାଇଭାଇ ମଧ୍ୟରେ ବିବାଦ ଲାଗି ରହିଥିଲା, ଯେଉଁଥିପାଇଁ ସାନ ଭାଇ ଓ ତାଙ୍କ ସାଙ୍ଗ ବଡ଼ ଭାଇ ଓ ଭାଉଜକୁ ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିବାର ସ୍ୱୀକାର କରିଛନ୍ତି । ସେହିପରି ହତ୍ୟାରେ ବ୍ୟବହୃତ ଖଣ୍ଡା, ଛୁରୀ, ଏସିଡ୍ ବୋତଲ ଓ ମଦ ବୋତଲ ଜବତ କରାଯାଇଛି । ଏନେଇ ସୋର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ଏସ୍ପି ରିସିକେଶ ଡାଇନୋ ଖିଲାରି ସୂଚନା ଦେଇଛନ୍ତି ।


ସୂଚନା ଯେ, ସୋର ବ୍ଲକ ସବିରା ପଞ୍ଚାୟତ ମାଝୀ ସାହି ଗ୍ରାମର ବୁଦ୍ଧିରାମ ବେହେରାଙ୍କର ଦୁଇ ପୁଅ ରଘୁନାଥ ଓ ମଧୁସୂଦନ। ବଡ଼ପୁଅ ରଘୁନାଥ ଦୀର୍ଘ ୧୨ ବର୍ଷ ଧରି ଗ୍ରାମର ଜନବସତି ଠାରୁ ୨୦୦ ମିଟର ଦୂର ବାଲିପଡ଼ିଆ ନିକଟରେ ଏକ କୁକୁଡ଼ା ଫାର୍ମ କରିଥିଲେ। ସେହିପରି ରଘୁନାଥଙ୍କର ଫାର୍ମ ନିକଟରେ ସାନପୁଅ ମଧୁସୂଦନ ମଧ୍ୟ ଏକ ଫାର୍ମ କରି କ୍ଷତି ସହିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ। ଗତ କିଛି ମାସ ତଳେ ଜମି ବିକ୍ରି ହୋଇଥିବା ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ମଧୁସୂଦନ ଗତ ଏକ ମାସ ତଳେ ବାହାର ରାଜ୍ୟରୁ ଘରକୁ ଆସିଥିଲେ। ଘରକୁ ଆସିବା ପରେ ହତ୍ୟାକାଣ୍ଡର ୪ ଦିନ ପୂର୍ବରୁ ମଧୁସୂଦନ କରିଥିବା ଫାର୍ମରେ ତାଙ୍କ ସାଙ୍ଗ ଉକ୍ତ ଗ୍ରାମର ମାନସ ଜେନା ସହିତ ବସି ଭାଇ ଓ ଭାଉଜକୁ ହତ୍ୟା କରିବାର ଯୋଜନା କରିବା ସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ରଖିଥିଲେ।

ଗତ ୧ ତାରିଖ ବୁଧବାର ରାତିରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ପ୍ରତିଦିନ ଭଳି ଫାର୍ମକୁ ଶୋଇବାକୁ ଯାଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ମଧୁସୂଦନ ଓ ମାନସ ଫାର୍ମ ଆଗରେ ଜଗି ବସିଥିଲେ। ତାଙ୍କ ଭାଇ ଓ ଭାଉଜ ପହଞ୍ଚିବା ମାତ୍ରେ ପ୍ରଥମେ ମୁହଁ ଓ ଦେହକୁ ଏସିଡ ଫିଙ୍ଗିଥିଲେ ଏବଂ ପରେ ଧାରୁଆ ଛୁରି ଓ ଖଣ୍ଡା ସାହାଯ୍ୟରେ ଉଭୟଙ୍କ ଗଳାକାଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଏସିଡ ବୋତଲ ଓ ଖଣ୍ଡାକୁ ନିକଟସ୍ଥ ପୋଖରୀକୁ ଫିଙ୍ଗିବା ସହିତ କିଛି ଦୂରରେ ଏକ ଝାଟି ବୁଦାରେ ଛୁରିକୁ ଲୁଚାଇଥିଲେ। ହତ୍ୟାକାଣ୍ଡର ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା (ନଂ. ୧୩୧/୨୩) ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲେ। ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରୁ ବ୍ୟବହୃତ ମଦ ବୋତଲ ଜବତ ହୋଇଥିଲା। ଜବତ ମଦ ବୋତଲର ବ୍ୟାଚ ନମ୍ବରରୁ ମଦ କିଣାଯାଇଥିବା ମଦ ଦୋକାନକୁ ଯାଇ ସିସିଟିଭି ଫୁଟେଜ ସହାୟତାରେ ମଧୁସୂଦନକୁ ଅଟକ ରଖି ଘଟଣାର ଛାନଭିନ କରୁଥିବା ବେଳେ ମଧୁସୂଦନ ଓ ତାଙ୍କର ସହଯୋଗୀ ସମସ୍ତ ଘଟଣା ବାବଦରେ ସ୍ୱୀକାର କରିଥିଲେ। ଏହାପରେ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ସିନ ରିକ୍ରିଏସନ କରି ବ୍ୟବହୃତ ହୋଇଥିବା ଖଣ୍ଡା, ଛୁରି ଓ ଏସିଡ ବୋତଲକୁ ପୋଖରୀରୁ ଜବତ କରିଥିଲା।
