ସୁତନ ଗ୍ରାମରେ ମହିଳାଙ୍କୁ ଅଶ୍ଳୀଳ ଗାଳିଗୁଲଜ ଓ ଆକ୍ରମଣ; ଥାନାରେ ୩ବ୍ୟକ୍ତିଙ୍କ ନାମରେ ମାମଲା
କୋଣାର୍କ : ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ସୁତନ ଗ୍ରାମରେ ଗୁରୁବାର ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଶ୍ଳୀଳ ଗାଳିଗୁଲଜ ଓ ଆକ୍ରମଣ ଘଟଣାରେ ଥାନାରେ ୩ ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡ଼ିଛି । ଖବରରୁ ପ୍ରାପ୍ତ ଯେ ସୁତନ ଗ୍ରାମର ଚାରୁଲତା ପ୍ରଧାନଙ୍କ ଅଭିଯୋଗ କ୍ରମେ ସେହି ଗ୍ରାମର ରବିନାରାୟଣ ସାମନ୍ତରାୟଙ୍କ ଦୁଇ ପୁତ୍ର ବିଜୟ ରଞ୍ଜନ ସାମନ୍ତରାୟ (ଟୁଲୁ), ଚିନ୍ମୟ ରଞ୍ଜନ ସାମନ୍ତରାୟ ଓ ମହେଶ୍ୱର ସ୍ୱାଇଁ ମିଳିତ ଭାବେ ଜବରଦଖଲ କରି ତାଙ୍କ ସ୍ଥିତିବାନ ଜାଗାରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ସେ ଏହାର ପ୍ରତିବାଦ କରିଥିଲେ । ଏହି ଜାଗା ସୁତନ ମୌଜାର ଖାତା ନମ୍ବର୍ ୩୪୫, ପ୍ଲଟ ନଂ ୩୫୮୬ ଓ ୩୫୧୫ ରେ ପୁର୍ବରୁ ତହସିଲ ଓ କୋର୍ଟରେ ମାମଲା ଚାଲିଥିବା ବେଳେ ଉକ୍ତ ବ୍ୟକ୍ତିମାନେ ମାନ୍ୟବର କୋର୍ଟ, ତହସିଲ ଓ ପୋଲିସକୁ ବେଖାତିର କରି ସେହି ଜାଗାରେ ଜବରଦଖଲ କରି ନିର୍ମାଣ କରୁଛନ୍ତି । ଯାହାକୁ ନେଇ ଚାରୁଲତା ପ୍ରତିବାଦ କରିବାରୁ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରି ମାଡ ମାରିଥିଲେ । ଏପରିକି ମହିଳାଂକ ମୁଣ୍ଡ, ଛାତି ଓ ସମ୍ବେଦନଶୀଳ ଜାଗାକୁ ଗୋଇଠା ମାଡ ମାରିଥିବା ନେଇ ସଂଘାତିକ ଅଭିଯୋଗ ହୋଇଛି । ଏନେଇ ମହିଳା ଜଣଙ୍କ ଗୋପ ମେଡ଼ିକାଲରେ ଡାକ୍ତରୀ ପରୀକ୍ଷା କରିବା ସହିତ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତିକରି ପୋଲିସ୍ ପକ୍ଷରୁ ୦୭/୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଉପରୋକ୍ତ ତିନି ଜଣ ଅଭିଯୁକ୍ତଙ୍କ ନାମରେ ଧାରା ୨୯୪, ୩୨୩, ୩୫୪, ୫୦୬ ଓ ୩୪ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଥିବା ନେଇ ଥାନା ଅଧିକାରୀ ରବୀନ୍ଦ୍ର ନାଥ ସେଠୀ ସୂଚନା ଦେଇଛନ୍ତି । ମୂଖ୍ୟ ଅଭିଯୁକ୍ତ ବିଜୟ ରଞ୍ଜନ ସାମନ୍ତରାୟ ଜଣେ ଅସାମାଜିକ, ରାଜନୈତିକ ଓ ପାଇସବାଲା ବ୍ୟକ୍ତି ହୋଇଥିବାରୁ ସେ ଏପରି ଅନେକ ଲୋକଙ୍କୁ ଦୁବ୍ୟବହାର କରି ଆଗରୁ ଥାନାରେ ଅନେକ ମାମଲା ଥିବା ଜଣାପଡିଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ବ୍ୟକ୍ତି ତାଙ୍କୁ, ତାଙ୍କ ସ୍ୱାମୀ, ପୁଅ ଓ ଝିଅକୁ ଜୀବନରେ ମାରିଦେବାକୁ ବାରମ୍ବାର ଧମକ ଦେଉଥିବା ନେଇ ସଂଘାତିକ ଅଭିଯୋଗ ଆଣିଛନ୍ତି । ଏଥି ସହିତ ଥାନା ପୋଲିସ୍ ଅଧିକାରୀ, ନେତା, ମନ୍ତ୍ରୀ ସବୁ ମୋ ହାତରେ ଅଛନ୍ତି କେହି କିଛି କରିପାରିବେ ନାହିଁ ବୋଲି ଖୋଲାଖୋଲି ଧମକ ଦେଉଛନ୍ତି । ଅଭିଯୋଗ ପରେ ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ବେଳେ ମହିଳା ଜଣଙ୍କ ପୁରୀ ଆରକ୍ଷୀ ଅଧିକ୍ଷକ, ନିମାପଡ଼ା ଏସଡିପିଓ ଙ୍କୁ ଅବଗତ କରାଇଥିବା ଜଣା ପଡ଼ିଛି ।
