ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭଂଜସେନାମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରିବା ଦାବୀ
ବାରିପଦା : ଅଧାପନ୍ତରିଆ ଅବସ୍ଥାରେ ଚାଲୁଥିବା ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟକୁ ପୂର୍ଣାଙ୍ଗ କରିବା ପାଇଁ ଆଜି ଭଂଜସେନା ପକ୍ଷରୁ ବିଶ୍ୱ ବିଦ୍ୟାଳୟର କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସମେତ ଚାଲୁଥିବା ନିୟମିତ ବିଭାଗକୁ ତୁରନ୍ତ ମୁଖ୍ୟ କ୍ୟାମ୍ପସକୁ ସ୍ଥାନାନ୍ତର କରାଯିବା, ଦ୍ୱିତୀୟ କ୍ୟାମ୍ପସର ଭିତିଭୂମୀ ପାଇଁ ଖର୍ଚ୍ଚ ହୋଇଥିବା ରାଶି ତୁରନ୍ତ ମୁଖ୍ୟ କ୍ୟାମ୍ପସ ପାଇଁ ଘୋଷଣା କରାଯିବା, ମୟୂରଭଂଜ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜକୁ ସରକାର ତୁରନ୍ତ ଖୋଲିବା ଦାବୀରେ ଭଂଜସେନା ପକ୍ଷରୁ ମୟୂରଭଂଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାବେଶରେ ଭଂଜସେନା ଶୃଙ୍ଖଳା କମିଟି ଅଧ୍ୟକ୍ଷ ସତ୍ୟ ସ୍ୱରୂପ ଦାଶ, କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଂଟୁ ମାଇତି, ଓବିସି ଶାଖା ସଭାପତି ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଜିଲ୍ଲା ଛାତ୍ର ସଭାପତି ପ୍ରୀତମ ପଣ୍ଡା, ଛାତ୍ର ଶାଖା ସହର ସଭାପତି ଅନମଲ ଯୋଶୀ, ବିରେନ୍ଦ୍ର ନାଥ, ଏମଡି ନାଜି, ବାଙ୍ଗରିପୋଷୀ ବ୍ଲକ ଛାତ୍ର ସଭାପତି ସୁମିତ ପାତ୍ର ପ୍ରମୁଖ ଯୋଗଦେଇ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ମୟୂରଭଂଜକୁ ଅବହେଳା କରୁଛନ୍ତି ବୋଲି କହିଥିଲେ । ସୂଚନା ମୁତାବକ ମୟୁରଭଂଜ ବାସୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ଫଳରେ ବାରିପଦା ଠାରେ ୧୯୯୮ମସିହାରେ ଉତର ଓଡିଶା ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା । ଯାହା ବର୍ତମାନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ନାମରେ ନାମିତ ହୋଇଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ କେନ୍ଦୁଝର ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷାଫଳ, ଫର୍ମଫିଲପ, ମାଇଗ୍ରେସନ ସାର୍ଟିଫିକେଟ ନେବା ଆଦି କାର୍ଯ୍ୟ ପାଇଁ ୨୦୧୫ ମସିହାରେ କେନ୍ଦୁଝର ଠାରେ ଏକ ସଂମ୍ପ୍ରସାରଣ କାଉଂଟର ଖୋଲାଯାଇଥିଲା । ମାତ୍ର ଚଂଚକତା କରି ସଂମ୍ପ୍ରସାରଣ କାଉଂଟରଟିକୁ ସରକରୀ ବିଜ୍ଞପ୍ତି ପ୍ରକାଶ ନକରି ଦ୍ୱିତୀୟ କ୍ୟାମ୍ପସ ଭାବେ କାର୍ଯ୍ୟକାରୀ କରାଯିବା ସହ ସେଥିରେ ରେଗୁଲାର କୋର୍ସ ମାନ ଖୋଲାଗଲା । ତେବେ ରାଜ୍ୟ ସରକାର କେନ୍ଦୁଝର ଡ଼ିଡ଼ି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପରେ ୨ୟ କ୍ୟାମ୍ପସର ଆବଶ୍ୟକତା ନାହିଁ । ଏଣୁ ତୁରନ୍ତ ବାରିପଦା ମୁଖ୍ୟ କ୍ୟାମ୍ପସକୁ ପୂର୍ଣ୍ଣାଙ୍ଗ କରାଯିବାକୁ ଦାବୀ କରିଛନ୍ତି । ବିଭିନ୍ନ କଲେଜ ରୁ ବହୁ ସଂଖ୍ୟାରେ ଛାତ୍ରମାନେ ବିକ୍ଷୋଭରେ ଉପସ୍ଥିତ ଥିଲେ ।
