ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ହୋଲି ପୂର୍ବରୁ ବେତନରେ ୧୭% ବୃଦ୍ଧି ଘୋଷଣା କଲେ ଏହି ରାଜ୍ୟ ସରକାର
ନୂଆଦିଲ୍ଲୀ : କର୍ଣ୍ଣାଟକର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମାଇ ହୋଲି ପୂର୍ବରୁ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତରୀଣ ରିଲିଫ ଭାବରେ ଆମେ ସରକାରୀ କର୍ମଚାରୀଙ୍କ ପାଇଁ ୧୭ ପ୍ରତିଶତ ବେତନ ବୃଦ୍ଧି ଘୋଷଣା କରିଛୁ । ଏହି ବୃଦ୍ଧି ଏପ୍ରିଲ ୧ରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମାଇ କହିଛନ୍ତି ଯେ, ନୂତନ ପେନସନ୍ ସ୍କିମ୍, ଆର୍ଥିକ ପ୍ରସଙ୍ଗ ତଥା ଅନ୍ୟାନ୍ୟ ବିଷୟ ରାଜ୍ୟରେ ଅଧ୍ୟୟନ କରାଯିବ । ପରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ।
ଦରମା ବୃଦ୍ଧି ଭଳି ଦାବି ସମ୍ପର୍କରେ ସରକାରଙ୍କଠାରୁ ଆଶ୍ୱସନା ପାଇବା ପରେ କର୍ଣ୍ଣାଟକର ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ବନ୍ଦ କରିଛନ୍ତି । ଏହାପୂର୍ବରୁ ସରକାର ଓ କର୍ମଚାରୀ ସଂଘ ମଧ୍ୟରେ ଅନେକ ବୈଠକ ହୋଇଥିଲା, ଯେଉଁଥିରେ କୌଣସି ଫଳାଫଳ ମିଳି ନଥିଲା । ବୁଧବାର ବେଙ୍ଗାଲୁରୁର ବୃହତ ବେଙ୍ଗାଲୁରୁ ମହାନଗର ପାଳିକା ପରିସରରେ ରାଜ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ।
କର୍ମଚାରୀମାନେ ସପ୍ତମ ବେତନ ଆୟୋଗର ରିପୋର୍ଟ କାର୍ଯ୍ୟକାରୀ କରିବା, ପୁରୁଣା ପେନସନ ଯୋଜନାର ପୁନଃ କରିବା ଏବଂ ଅତି କମରେ ୪୦ ପ୍ରତିଶତ ଫିଟମେଣ୍ଟ ସୁବିଧା ସ୍ଥାପନ ସମେତ କର୍ଣ୍ଣାଟକ ସରକାରଙ୍କ ନିକଟରେ ୩ଟି ପ୍ରମୁଖ ଦାବି କରିଥିଲେ । ନୂତନ ପେନସନ ସ୍କିମ୍ (ଏନପିଏସ) କୁ ଶେଷ କରି ଓପିଏସ୍ ଲାଗୁ କରିବା ଦାବିରେ ସରକାର କହିଛନ୍ତି ଯେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଏହାର ସମ୍ଭାବ୍ୟତା ଉପରେ ଅଧ୍ୟୟନ କରିବ ।
ସେପଟେ ଜାନୁଆରୀ ୧ରୁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ଆପଣଙ୍କୁ କହି ରଖୁଛୁ ଯେ, ମହଙ୍ଗା ଭତ୍ତା AICPI-IW ଆଧାରରେ ଗଣନା କରାଯାଏ । ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।
