ଆଇପିଏଲ୍ର ୧୬ତମ ସଂସ୍କରଣରେ ଖେଳିବେ ଜୋଫ୍ରା ଆର୍ଚର
ନୂଆଦିଲ୍ଲୀ : ଆଇପିଏଲ୍ର ୧୬ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପୂର୍ବରୁ ଏକ ବଡ ଝଟକା ଲାଗିଥିବା ବେଳେ ଏବେ ଆସିଛି ଆଶ୍ଵସ୍ତିକର ଖବର । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ତାରକା ବୋଲର ଯଶପ୍ରୀତ ବୁମରା ଆଇପିଏଲ ୨୦୨୩ରୁ ବାଦ୍ ପଡିଛନ୍ତି। ବୁମରା ପିଠିଜନିତ ଯନ୍ତ୍ରଣା କାରଣରୁ ୬ ମାସ ଏବେ କ୍ରିକେଟ୍ରୁ ଦୂରେଇ ରହିବେ ବୋଲି ଜଣାପଡିଛି । ଏବେ ଇଂଲଣ୍ଡର ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଫିଟନେସ୍କୁ ନେଇ ଆସିଛି ମହତ୍ଵପୂର୍ଣ୍ଣ ଖବର। ଏଥିରେ ଆର୍ଚର ଆଇପିଏଲ୍ ଖେଳିବା ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଇଂଲଣ୍ଡ ଏବଂ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ସୂଚନା ଦେଇଛି ଯେ, ଆର୍ଚର ଆଇପିଏଲ୍ର ୧୬ତମ ସଂସ୍କରଣରେ ମୁମ୍ବାଇ ପାଇଁ ପୂରା ସମୟ ଉପଲବ୍ଧ ରହିବେ। ଏହି ସମୟରେ ତାଙ୍କର କାର୍ଯ୍ୟଭାର ଉପରେ ନଜର ରଖାଯିବ।
କ୍ରିକବଜ୍ର ରିପୋର୍ଟ ଅନୁସାରେ, ଇସିବି ସୂତ୍ର ଅନୁଯାୟୀ ଜୋଫ୍ରା ଆର୍ଚର ଆଇପିଏଲ୍ ୨୦୨୩ ସଂପୂର୍ଣ୍ଣ ଖେଳିବେ। ସବୁ ଥର ପରି ଫ୍ରାଞ୍ଚାଇଜି ଏବଂ ଇସିବି ଖେଳାଳିଙ୍କ କାର୍ଯ୍ୟଭାରର ସମୀକ୍ଷା କରିବ। ଅନ୍ୟପଟେ ଆଇପିଏଲ୍ର ଜନୈକ ଅଧିକାରୀ ମଧ୍ୟ ଜୋଫ୍ରା ଆଇପିଏଲ୍ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆର୍ଚର ବୁଧବାର ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପଡିଆକୁ ଓହ୍ଲାଇଛନ୍ତି। ସେ ନିଜର ପୂରା କୋଟା ୧୦ ଓଭର ବୋଲିଂ କରି ୩୭ ରନ ଦେଇ ଦୁଇଟି ଓ୍ଵିକେଟ୍ ହାସଲ କରିଛନ୍ତି। ଇଂଲଣ୍ଡ ଏହି ମ୍ୟାଚ୍କୁ ୩ ଓ୍ଵିକେଟ୍ରେ ଜିତି ନେଇଛି।
ମୁମ୍ବାଇ ଆଇପିଏଲ୍ ମେଗା ନିଲାମ ୨୦୨୨ରେ ୮ କୋଟି ଖର୍ଚ୍ଚ କରି ଆର୍ଚରଙ୍କୁ ନିଜ ଦଳରେ ସାମିଲ୍ କରିଥିଲା। ମୁମ୍ବାଇ ବେଶ ଭଲ ଭାବେ ଜାଣିଥିଲା ଯେ, ଆହତ କାରଣରୁ ଆର୍ଚର ଆଇପିଏଲ୍ର ୧୫ତମ ସଂସ୍କରଣ ଖେଳି ପାରିବେ ନାହିଁ। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କୁ ନିଜ ଦଳରେ ସାମିଲ୍ କରାଇଥିଲା। ଦୀର୍ଘ ସମୟ ଧରି ଆହତଜନିତ ସମସ୍ୟା ଦେଇ ଗତି କରିବା ପରେ ଆର୍ଚର ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍ ଜରିଆରେ ପ୍ରତିଯୋଗିତାମୂଳକ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆର୍ଚର ପାଖାପାଖି ୧୮ ମାସ ପର୍ଯ୍ୟନ୍ତ କ୍ରିକେଟ୍ରୁ ଦୂରେଇ ରହିଥିଲେ। ସେ ୨୦୨୧ ମଧ୍ୟଭାଗରୁ ଏବଂ ୨୦୨୨ ସଂପୂର୍ଣ୍ଣ ବର୍ଷ କ୍ରିକେଟ୍ ଖେଳି ନଥିଲେ।
