ଚଳିତବର୍ଷ ରାଜ୍ୟର ୨୦୦ ପିଲାଙ୍କୁ ଦିଆଯିବ ମାଗଣା ଆଇଏଏସ୍ କୋଚିଂ, ୨୬ରେ ପ୍ରବେଶିକା ପରୀକ୍ଷା
ଭୁବନେଶ୍ବର : ଚଳିତବର୍ଷ ରାଜ୍ୟର ୨୦୦ଜଣ ପିଲାଙ୍କୁ ଦିଆଯିବ ମାଗଣା ଆଇଏଏସ୍ କୋଚିଂ । ଏଥିପାଇଁ ଏସିକ୍ୟୁ ଆଇଏଏସ୍ ଏକାଡେମିକୁ ଚୟନ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଚୟନ ଲାଗି ଆସନ୍ତା ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଚୟନ ପ୍ରକ୍ରିୟା ଶେଷ ହେବା ପରେ ଭୁବନେଶ୍ବରରେ ଛାତ୍ରଛାତ୍ରୀଙ୍କୁ କୋଚିଂ ପ୍ରଦାନ କରାଯିବ ବୋଲି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ଉତ୍ତର ରଖିଛନ୍ତି।
ଶ୍ରୀ ପୂଜାରୀ ଆହୁରି ସୂଚନା ଦେଇଛନ୍ତି ଯେ ବିଶ୍ବବିଦ୍ୟାଳୟସ୍ତରରେ ଆଇଏଏସ୍ କୋଚିଂ ପ୍ରଦାନ କରାଯାଉଥିଲା। ପରବର୍ତ୍ତୀ ସମୟରେ ଧେୟ ଆଇଏଏସ୍ ଏଜୁକେସନ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ୨୦୧୯-୨୦ ଶିକ୍ଷାବର୍ଷରେ ଭୁବନେଶ୍ବରରେ ୯୯ଜଣ ପିଲାଙ୍କୁ ଆଇଏଏସ୍ କୋଚିଂ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୭ଜଣ ଓସିଏସ୍ ୨୦୧୮, ୪ଜଣ ଓସିଏସ୍-୨୦୧୯ ପରୀକ୍ଷା କ୍ଲିଅର କରିଥିଲେ। ଜଣେ ୟୁପିଏସ୍ସି-୨୦୨୦ ପ୍ରିଲିମି କ୍ଲିୟର କରିଥିଲେ।
