ଆଜି ବିଶ୍ୱ ବିବାହ ଦିବସ! ବିବାହ ଏକ ବିଧାନ
ଶାସ୍ତ୍ର କହେ ନାରୀ ଓ ପୁରୁଷ ପୃଥକ ଭାବେ ଅସଂପୂର୍ଣ୍ଣ । ମାତ୍ର ସଂଯୁକ୍ତ ଭାବେ ସଂପୂର୍ଣ୍ଣ । ତେଣୁ ଜୀବନର ପୂର୍ଣ୍ଣତା ପ୍ରାପ୍ତି ପାଇଁ ଉଭୟଙ୍କ ମଧ୍ୟରେ ବନ୍ଧନ ଲୋଡ଼ା । ସେହି ପବିତ୍ର ବନ୍ଧନ ପାଇଁ ଅନୁସୃତ ବିଧାନକୁ କୁହାଯାଏ ବିବାହ । ପାଶ୍ଚାତ୍ୟ ଚଳଣିରେ ବିବାହାର ଅର୍ଥ ଦାମ୍ପତ୍ୟ ବୁଝାମଣା । ମାତ୍ର ଭାରତୀୟ ସଂସ୍କୃତି କହେ, ବିବାହ ହେଉଛି ଏକ ଧାର୍ମିକ ବିଧାନ ।
ହିନ୍ଦୁ ବିବାହ ଶାସ୍ତ୍ର (ମନୁସ୍ମୃତି)ରେ ବ୍ରାହ୍ମ, ଦୈବ, ଆର୍ଷ, ପ୍ରଜାପତ୍ୟ, ଆସୁର, ଗାନ୍ଧର୍ବ, ରାକ୍ଷସ ଓ ପୈଶାଚ ଆଦି ଆଠ ପ୍ରକାର ବିବାହ ବିଷୟରେ ଉଲ୍ଲେଖ ଅଛି । ତନ୍ମଧ୍ୟରୁ ପ୍ରଜାପତ୍ୟ ବିବାହକୁ ଶ୍ରେଷ୍ଠତ୍ୱ ପ୍ରଦାନ କରାଯାଇଛି । ବୈଦିକମନ୍ତ୍ର ଉଚ୍ଚାରଣରେ ବିବାହ ବେଦୀରେ ସଂପାଦିତ ହୁଏ ବିବାହ କାର୍ଯ୍ୟ । ଆମେ ଏବେ ବେଦବିହିତ ବିବାହ ବିଧାନରୁ ମୁହଁ ଫେରାଇନେଇ ଧାଇଁଛୁ ପାଶ୍ଚାତ୍ୟ ସଂସ୍କୃତି ଆଡ଼କୁ । ଏବେ ମାଟ୍ରିମୋନିଆଲ ଓ ୱେବ୍ସାଇଟ ଯୋଗେ ଚୟନ ହେଉଛି ବର-କନ୍ୟା । ଦରକାର ହେଉନି ଜାତକ ମେଳକ । ଖୋଜାଯାଉନି ଜାତି, ଗୋତ୍ର, ବୟସ ଓ ବଂଶ ପରିଚିତି । ଏଥିପାଇଁ ନଷ୍ଟ ହେଉଛି ବଂଶଧାରାର ନିର୍ମଳତା । ଏକ ଆଦର୍ଶ ସଂକଟ ମଧ୍ୟରେ ବଢ଼ିଚାଲିଛି ପାରିବାରିକ ଅସହିଷ୍ଣୁତା । ଯେଉଁଠି ହଜାରେ ମତାନ୍ତର ସତ୍ତ୍ୱେ ବି ଛାଡ଼ପତ୍ରର ଚିନ୍ତାକଳ୍ପ ନଥିଲା, ସେଠାରେ ସାମାଜିକ ବିଧାନରେ ପରିଣତ ହୋଇସାରିଲାଣି ବିବାହ ବିଚ୍ଛେଦ ।
ବୈଦିକ ବିବାହ ପରମ୍ପରାରୁ ଛିଟିକି ଆସିଥିବା ଦାମ୍ପତ୍ୟ ସଂପର୍କ ଏବେ ପ୍ରେମ ବିବାହ, ରେଜିଷ୍ଟ୍ରି ବିବାହ, କଣ୍ଟ୍ରାକ୍ଟ ବିବାହ ଆଦି ବିଭିନ୍ନ ସ୍ତର ଦେଇ ପହଞ୍ଚିଲାଣି ଲିଭ୍ ଇନ୍ ରିଲେସନ୍ ପାଖରେ । ବଢ଼ିଚାଲିଛି ଭ୍ରୂଣହତ୍ୟା । ଏଭଳି ଦୁଃସ୍ଥିତିରୁ ମୁକୁଳିବା ପାଇଁ ଆଜି ବିଶ୍ୱ ବିବାହ ଦିବସ ଅବସରରେ ଏ ନେଇ ବିଚାର କରିବା ଦରକାର । ବିବାହର ବ୍ୟାଖ୍ୟା ଦେବାକୁ ଯାଇ ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି – ବିଶିଷ୍ଟ ଭାବରେ ବହନ କରିବା । ନାରୀର ପୁରୁଷକୁ ସମ୍ବର୍ଦ୍ଧନ କରିବାର ପ୍ରବୃତ୍ତି ଓ ପୁରୁଷର ସମ୍ବର୍ଦ୍ଧିତ ହେବାର ପ୍ରବୃତ୍ତି ଭିତର ଦେଇ ବିବାହର ସୃଷ୍ଟି । ଉନ୍ନୟନ ଓ ସୁପ୍ରଜନନ ହିଁ ବିବାହର ମୂଳ ଉଦ୍ଦେଶ୍ୟ । ପ୍ରେମାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଦୃଢ଼କଣ୍ଠରେ ଉଦ୍ଘୋଷଣା କଲେ – ନାରୀ ଚାହେଁ ପୁରୁଷକୁ ଉଦ୍ବର୍ଦ୍ଧନ କରିବାକୁ ଓ ପୁରୁଷ ଚାହେଁ ନାରୀକୁ ସର୍ବତୋ ଭାବରେ ବହନକରି ନିଜର ଜୀବନକୁ ବିସ୍ତାରରେ ପରିପ୍ଲୁତ କରିବାକୁ – ତାହା ହିଁ ବିବାହ । ବିବାହ ଏପରି ଭାବରେ ଦେବାକୁ ହେବ ଯେପରି ଦାମ୍ପତ୍ୟ ପ୍ରଣୟ ଫଳରେ ସ୍ୱାମୀ-ସ୍ତ୍ରୀ ଉଭୟେ ଶରୀର, ମନ ଓ ଚରିତ୍ରରେ ଉତ୍କର୍ଷ ଲାଭ କରନ୍ତି ଏବଂ ସନ୍ତାନ-ସନ୍ତତି ମଧ୍ୟ ଉନ୍ନତତର ହୁଅନ୍ତି । ବଂଶ ପରମ୍ପରାରେ ମଣିଷ ଯଦି ବଢ଼ି ନଚାଲେ, ବାପାଙ୍କ ଠାରୁ ପୁତ୍ର ଯଦି ଆହୁରି ବଡ଼ ନହୁଏ, ଆହୁରି ଭଲ ନହୁଏ ତେବେ ହେଲା କ\’ଣ? ପାତ୍ର ଓ ପାତ୍ରୀର ବଂଶ, ବିଦ୍ୟା, ସ୍ୱାସ୍ଥ୍ୟ, ଚରିତ୍ର, ଆୟୁଷ, ଇଷ୍ଟପ୍ରାଣତା, ଦକ୍ଷତା, ଗୁଣ, ବୟସ, ପ୍ରକୃତି ଇତ୍ୟାଦି ଦିଗ ଦେଇ ସମ୍ୟକ୍ ସଙ୍ଗତି ଅଛି କି ନା – ଭଲ ଭାବେ ଦେଖିବା ଦରକାର । ସ୍ତ୍ରୀ ଯଦି ସ୍ୱାମୀକୁ ଶ୍ରଦ୍ଧା କରେ ଓ ସ୍ୱାମୀ ପାଇଁ କଷ୍ଟ ସହି ମଧ୍ୟ ନିଜକୁ ସୁଖୀ ଓ ସାର୍ଥକ ମନେକରେ ତେବେ ସେ ବିବାହ ସଫଳ ହୁଏ । ଆୟୁର ଗୋଟିଏ ବଂଶଗତ ଧାରା ଅଛି । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେଉଁଠି ଗଭୀର ଓ ପବିତ୍ର ପ୍ରଣୟ ଅଛି, ସ୍ତ୍ରୀ ଯେଉଁଠି ସ୍ୱାମୀକୁ ନିଜର ସତ୍ତାଜ୍ଞାନରେ ଭଲପାଏ, ସ୍ୱାମୀ ଯେଉଁଠି ସ୍ତ୍ରୀକୁ ନିବିଡ଼ ସ୍ନେହ ଚକ୍ଷୁରେ ଦେଖେ ସେଠାରେ ସନ୍ତାନର ସ୍ୱାସ୍ଥ୍ୟ, ବୁଦ୍ଧି ଓ ଆୟୁଷ ଇତ୍ୟାଦିର ଉତ୍କର୍ଷ ହେବା ଅତି ନିଶ୍ଚିତ । ଅବଶ୍ୟ ସ୍ୱାମୀ ଗୁରୁମୁଖୀ ବା ଇଷ୍ଟମୁଖୀ ହେବା ଏକାନ୍ତ ଆବଶ୍ୟକ । ସ୍ୱାମୀ ଯଦି ସ୍ତ୍ରୀ ମୁଖୀ ହୁଏ ସେଠାରେ ସ୍ତ୍ରୀ ତା ସ୍ୱାମୀକୁ ବେଶୀ ଦିନ ଶ୍ରଦ୍ଧା ଆଖିରେ ଦେଖିପାରେ ନାହିଁ ଓ ଉଭୟେ ପ୍ରବୃତ୍ତିମୁଖୀ ହୋଇପଡ଼ନ୍ତି ।
ବିବାହ ସମୟରେ ବିଶେଷଭାବରେ ପୁରୁଷର ବୀଜବୈଭବ ବିଚାର କରିବାକୁ ହେବ । ପୁରୁଷ ବୀଜ ବୈଭବ ଯଦି ନାରୀ ଠାରୁ ସମୃଦ୍ଧତର ନହୁଏ ତାହାହେଲେ ପ୍ରଜନନ କ୍ଷେତ୍ରରେ ବିପର୍ଯ୍ୟୟ ଦେଖାଦିଏ । ଏହା ସମ୍ପୂର୍ଣ୍ଣ ବୈଜ୍ଞାନିକ ତଥ୍ୟ । ବିବାହ କେବଳ ଏକ ସାମାଜିକ ବା ପାରିବାରିକ ବନ୍ଧନ ନୁହେଁ । ଦୁଇଟି ମନର ମିଳନ ଦ୍ୱାରା ଗଢ଼ି ଉଠିଥାଏ ଆଗାମୀ ଭବିଷ୍ୟତ ପାଇଁ ଏକ ସୁନ୍ଦର ସ୍ୱପ୍ନର ବାସ୍ତବତା । କେହି କେହି ବିବାହକୁ ଏକ ବାଧ୍ୟବାଧ୍ୟକତା ବୋଲି କହିଥାନ୍ତି କିନ୍ତୁ ବିବାହ ନ କରି ଏକା ଏକା ଜୀବନ ନୌକାକୁ ବାହି ଚାଲୁଥିବା ଅନେକ ଉଦାହରଣ ବି ରହିଛନ୍ତି । ବିବାହ ଯେତେବେଳେ ସମସ୍ୟା ଓ ଦୁଃଖର କାରଣ ହୋଇଥାଏ ତାହା ଆମ ସମାମଜରେ ଦୁଃଖଦ ଭୁଲବୁଝାମଣାର କ୍ଷେତ୍ର ସୃଷ୍ଟି କରିଥାଏ । ଦୁହିତା ଦୁଇ କୂଳକୁ ହିତା କେବେହେଲେ ଦୁଇ କୂଳକୁ ପିତା ବୋଲି କୁହାଯାଇପାରିବ ନାହିଁ । ଝିଅଟି ବିବାହ ବନ୍ଧନରେ ସଂସାର ଜୀବନରେ ପାଦ ଦେଲାପରେ ସେ ସମସ୍ତଙ୍କୁ ଆପଣାଇ ଦୁଇ କୂଳ ପାଇଁ ଏକ ବନ୍ଧନର ସେତୁ ନିର୍ମାଣ କରିଥାଏ । ଯାହାଦ୍ୱାରା ଦୁଇଟି ପରିବାର ଏକ ବିଶ୍ୱାସର ବନ୍ଧନୀରେ ନିଜକୁ ଏକତ୍ର କରି ସୁଖଦୁଃଖ ବାଣ୍ଟିବାର ବୁଝାମଣାକୁ ଗୁରୁତ୍ୱ ଦେଇଥାନ୍ତି । ଆଜିକାଲି ଅନେକ ବିବାହ ଯେତେବେଳେ ଦୁଃଖଦ ଭାବନାରେ ଶେଷ ଡୋରୀ ବାନ୍ଧି ଥାଏ ତାହା ସମସ୍ତଙ୍କୁ ବ୍ୟଥିତ କରିଥାଏ । ତେଣୁ ବିଶ୍ୱ ବିବାହ ଦିବସ ଅବସରରେ ବିବାହର ବା ସମ୍ପର୍କର ଭାବନାକୁ ଯଥାର୍ଥ ବିଚାର କରି ସଂସାର ଓ ସମାଜକୁ ବୁଝିପାରିଲେ ତାହା ଏହି ଦିବସକୁ ସାର୍ଥକ କରିପାରନ୍ତା ।
ଆଜିକାଲି ଅନେକ ଆଧ୍ୟାତ୍ମିକ ଓ ସେବାଭିମୁଖୀ ସଂଗଠନରେ ଅନେକ କର୍ମୀମାନେ ନିଜ ବିବାହ ସଂସାର ଠାରୁ ସମାଜ ଓ ଏ ବିଶ୍ୱର ସମର୍ପିତ ସେବାକୁ ନିଜ ସଂସାର ଭାବେ ଭାବି ତଥାକଥିତ ସାମାଜିକ ବନ୍ଧନର ବିବାହ ଠାରୁ ଆଧ୍ୟାତ୍ମିକ ସେତୁର ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ବିବାହ ଏକ ସାମାଜିକ ଓ ଆଧ୍ୟାତ୍ମିକ ବିଧାନ ସତ । ଶ୍ରୀ ଶ୍ରୀ ଠାକୁର କହିଛନ୍ତି – ମା’ମାନଙ୍କର ବୈଶିଷ୍ଟ୍ୟରେ ଅଛି – ନିଷ୍ଠା, ଧର୍ମ, ଶୁଶ୍ରୂଷା, ସେବା, ସାହାଯ୍ୟ, ସଂରକ୍ଷଣ, ପ୍ରେରଣା ଓ ପ୍ରଜନନ । ମାତୃଜାତିକୁ ଆହ୍ୱାନ ଦେଇ ଯୁଗାବତାର ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି – ମା’ମୋର, ଝିଅ ମୋର, ତୁମର ସେବା, ତୁମର ଚାଲିବା, ତୁମର ଚିନ୍ତା, ତୁମର କହିବା ପୁରୁଷ ଜନସାଧାରଣଙ୍କ ଭିତରେ ଯେଭଳି ଏଭଳି ଏକ ଭାବର ସୃଷ୍ଟି କରେ ଯାହାଫଳରେ ସେମାନେ ଅବନତ ମସ୍ତକରେ ନତଜାନୁ ହୋଇ ସସମ୍ଭ୍ରମେ ଭକ୍ତି ଗଦଗଦ କଣ୍ଠରେ ମା’ମୋର, ଜନନୀ ମୋର, କହି ମୁଗ୍ଧ ହୁଅନ୍ତି, ବୁଦ୍ଧ ହୁଅନ୍ତି, ତୃପ୍ତ ହୁଅନ୍ତି, କୃତାର୍ଥ ହୁଅନ୍ତି, ତାହାହେଲେ ତୁମେ ମାଆ ତେବେ ହିଁ ତୁମେ ସତୀ । ପୁରୁଷ ଓ ନାରୀର ଏହି ଗଭୀର ପ୍ରଣୟ ନବୁଝି ଉପଭୋଗର ଉପକରଣ ମନେକଲେ ସମାଜର ଗତି ନିମ୍ନଗାମୀ ଓ ବାଧାପ୍ରାପ୍ତ ହୁଏ । ପ୍ରକୃତ ଦାମ୍ପତ୍ୟ ମିଳନ ଓ ପ୍ରଣୟ ଯେଉଁଠି ସେଠାରେ ଶିବ-ଦୁର୍ଗାର ଆର୍ବିଭାବ ହୁଏ ।
