ଆଜି ସୁଦଶା ବ୍ରତ, ଘରେ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ସଧବା ନାରୀ
ଆଜି ପବିତ୍ର ସୁଦଶା ବ୍ରତ । ବିବାହିତ ନାରୀମାନେ ଏହି ବ୍ରତ ପାଳନ କରନ୍ତି। ଏହି ବ୍ରତର ଅନେକ ମହତ୍ତ୍ୱ ରହିଛି। ଯାହା ପୁରାଣରେ ବର୍ଣ୍ଣିତ। ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ।ଏଥିରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ ।ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ହିନ୍ଦୁ ମହିଳା ମାନେ ପାଳନ କରିଥାନ୍ତି ।ଏହାକୁ ନେଇ କାହାଣୀ ମଧ୍ୟ ରହିଛି । କଣ ଏହାର ମାହାତ୍ମ୍ୟ ଏବଂ କଣ ରହିଛି କାହାଣୀ ଆସନ୍ତୁ ନଜର ପକାଇବା।
ତେବେ ଆଜି ଆମେ ଧର୍ମକଥାରେ ସୁଦଶା ବ୍ରତ ବିଷୟରେ ଜାଣିବା। ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡେ, ଯାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଲକ୍ଷ୍ମୀ ହେଉଛନ୍ତି ଧନଦେବୀ । ତାଙ୍କୁ ପୂଜା କରିବା ଦ୍ୱାରା ଘରେ ଦାରିଦ୍ରତା ଦୂର ହୋଇଥାଏ। ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାନ୍ତି । ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ ।
ଆପଣ ଜାଣିଛନ୍ତି କି, ସୁଦଶାର ଅର୍ଥ କଣ ? କୁହାଯାଏ ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଯାହାଫଳରେ ପୂଜା କଲାବେଳେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ । ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ଏହି ଦିନ ସକାଳୁ ସକାଳୁ ଉଠି ସଧବା ନାରୀମାନେ ଘର ଦ୍ୱାର ଲିପା ପୋଛା କରନ୍ତି। ଘର ଦୁଆର ମୁହଁରେ ଝୋଟି ଚିତା ଆଙ୍କନ୍ତି । ସମସ୍ତ ରୀତିନୀତି ସହ ବିଭିନ୍ନ ପ୍ରକାରର ପିଠାପଣା କରି ପୂଜା ପାଠ କରିଥାନ୍ତି । ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ, ସମ୍ପତ୍ତି, ସୁଖ ସମୃଦ୍ଧିରେ ଘର ପୁରି ଉଠେ।
ପୁରାଣ କଣା ଅନୁସାରେ, ଜଣା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲେ । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଦେଲେ । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଲେ । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ଗଲେ । ଅନେକ କଷ୍ଟ ପାଇଲେ। ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି । ମା’ ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା। ତାଙ୍କୁ ଠିକ ଭାବରେ ରଖିଜାଣିଲେ ସେ ସମସ୍ତଙ୍କ ପାଖରେ ରୁହନ୍ତି। ଆଉ ଯଦି ତାଙ୍କୁ ହେୟ ଜ୍ଞାନ କରନ୍ତି, ସେ ଦୂରେଇ ଯାଆନ୍ତି । ଏବଂ ଦାରିଦ୍ରତା ମାଡିଆସେ। ଠିକ ଯେଉଁଭଳି ଭାବରେ ପ୍ରଭୁ ଜଗନ୍ନାଥ ମଧ୍ୟ ମା ଲକ୍ଷ୍ମୀଙ୍କ କୋପର ଶିକାର ହୋଇଥିଲେ।
