ବର୍ଷେ ହେଲା ମିଳୁନି ବିବାହ ସହାୟତା ରାଶି : ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବସିଲେ ଦିବ୍ୟାଙ୍ଗ ମହିଳା
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ନାୟକଗୁଡି ଅଞ୍ଚଳର ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ମହିଳା ମାନସୀ ପ୍ରଧାନ(୨୮) ବର୍ଷେ ପୂର୍ବରୁ ବିବାହ କରିଥିଲେ ହେଁ ଏଯାବତ୍ ତାଙ୍କୁ ଭିନ୍ନକ୍ଷମ ବିବାହ ସହାୟତା ରାଶି ମିଳି ନାହିଁ । ଫଳରେ ଉକ୍ତ ସହାୟତା ରାଶି ପାଇଁ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଶେଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ବସି ରହିଥିଲେ । ଖବର ପାଇ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ତାଙ୍କ ନିକଟକୁ ଆସି ସମସ୍ୟା ସମ୍ପର୍କରେ ବୁଝିବା ପରେ ତୁରନ୍ତ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ମାନସୀ ଗତ ଏକ ବର୍ଷ ତଳେ ଅର୍ଥାତ ୨୦୨୨ରେ ବାଲିଆପାଳ ବ୍ଲକ ଅର୍ନ୍ତଗତ ବୋଳଂ ଅଞ୍ଚଳର ଶମ୍ଭୁନାଥ ପ୍ରଧାନଙ୍କୁ ବିବାହ କରିଥିଲେ । ବସ୍ତା କୋର୍ଟରେ ସେମାନଙ୍କର ବିବାହ ହୋଇଥିବା ବେଳେ ତାଙ୍କୁ ପ୍ରମାଣପତ୍ର ମଧ୍ୟ ମିଳିଛି । ତାଙ୍କ ଶାଶୁଘର ଗରିବ ଶ୍ରେଣୀର । ତାଙ୍କୁ ମିଶାଇ ପରିବାରର ୫ଜଣ ସଦସ୍ୟ । ତାଙ୍କୁ ମିଳୁଥିବା ୭ଶହ ଟଙ୍କା ଭତା ଓ ତାଙ୍କ ସ୍ୱାମୀ ଶମ୍ଭୁନାଥ ଏଠି ସେଠି କିଛି କାମ କରି ପାଉଥିବା ମଜୁରି ଉପରେ ସେମାନେ ଚଳିବା ପାଇଁ ନିର୍ଭର କରନ୍ତି । ତାଙ୍କର ଗୋଟିଏ ଘର ନଥିବା ବେଳେ ଶୌଚାଳୟ ମଧ୍ୟ ନାହିଁ । ଏମିତିକି ସେମାନେ ଟଙ୍କିକିଆ ସରକାରୀ ଚାଉଳରୁ ବଞ୍ôଚତ ହୋଇଛନ୍ତି ।
ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ପରିପ୍ରେକ୍ଷୀରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସୁସ୍ଥ ଲୋକ ବିବାହ କଲେ ସରକାରଙ୍କ ପକ୍ଷରୁ ତାଙ୍କୁ ୨ଲକ୍ଷ ୫୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବା କଥା । ଏ ଅଫିସ୍ ସେ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ବି ତାଙ୍କୁ ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି ଅଦ୍ୟାବଧି ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଭାଇଙ୍କ ସହ ଜିଲାପାଳଙ୍କଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ତାଙ୍କ ଅଫିସ ସମ୍ମୁଖରେ ବସି ରହିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ ପାଇ ଜିଲା ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ତରୁଣ ତପନ ପ୍ରହରାଜ ଘଟଣା ସ୍ଥଳକୁ ଆସି ମାନସୀଙ୍କ ସହ ଆଲୋଚନା କରି ତାଙ୍କଠାରୁ ସମସ୍ତ ପ୍ରକାର କାଗଜ ପତ୍ର ନେଇଛନ୍ତି । ସପ୍ତାହକ ମଧ୍ୟରେ ତାଙ୍କୁ ବିବାହ ସହାୟତା ରାଶି ମଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
