ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଗିରଫ
ବାଲେଶ୍ୱର : ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ-୨ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଭଡ଼ା ଘର ସମେତ ପୈତୃକ ଏବଂ ନୂତନ ଗୃହଗୁଡ଼ିକରେ ଏକକାଳୀନ ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲାର ୭ଟି ସ୍ଥାନରେ ଭିଜିଲାନ୍ସ ଗତ ଗୁରୁବାର ୨୩ ତାରିଖ ପୂର୍ବାହ୍ନରେ ଚଢ଼ାଉ କରିଥିଲା । ଆୟ ଠାରୁ ଚାରି ଗୁଣା ଅଧିକ ସମ୍ପତ୍ତି ତାଙ୍କ ଠାରୁ ବାହାରିଥିବାରୁ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି ।
ସୂଚନା ଯେ, ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୪ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା । ବାଲେଶ୍ୱର ଅଫିସ୍, ସରକାରୀ କ୍ୱାର୍ଟର, ପୁରୀର ହରିଚଣ୍ଡୀ ସାହି ଦାମୋଦର ରୋଡ଼ ମଦନମୋହନ ଲେନରେ ଅବସ୍ଥିତ ଆବାସିକ ଘର, ଅନନ୍ ପାମ୍ ବିଚର ଦ୍ୱିତୀୟ ମହଲାରେ ଥିବା ୨୦୬୩ ନମ୍ବର ଫ୍ଲାଟ୍, ଖୋର୍ଦ୍ଧାର ବାଲୁଗାଁରେ ଦୁଇ ମହଲା କୋଠା, ବାଣପୁରର ଭାଗବତ ସାହିରେ ଥିବା ପୈତୃକ ଘର, ଟାଙ୍ଗୀରେ ଥିବା ସମ୍ପର୍କୀୟଙ୍କ ଘରେ ଏହି ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ସହକାରୀ ଯନ୍ତ୍ରୀ ସେନାପତିଙ୍କ ଘରୁ ନଗଦ ୧ଲକ୍ଷ ୨୨ହଜାର ୫୦୦ ଟଙ୍କା, ଗୋଟିଏ ୪ ଚକିଆ ଓ ୩ଟି ୨ଚକିଆ ଗାଡ଼ି ସମେତ ସୁନା ଅଳଙ୍କାର ଭିଜିଲାନ୍ସ ଜବତ କରିଥିଲା । ଏହାସହିତ ୨ଟି ବଡ଼ କୋଠା ଓ ୯୫ ଲକ୍ଷ ଟଙ୍କାର ଇନସୁରାନ୍ସ ମଧ୍ୟ ଜବତ ହୋଇଥିଲା ।
