ରାଜ୍ୟରେ ବଢୁଛି ବାପା-ମା’ଙ୍କ ଉପରେ ନିର୍ଯାତନା ମାମଲା, ସର୍ବାଗ୍ରେ ଦେବଗଡ଼ ଜିଲା
ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି ବାପା-ମା’ଙ୍କ ଉପରେ ନିର୍ଯାତନା ମାମଲା। ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ଥାନାରେ ଏଥିସମ୍ପର୍କିତ ପାଖାପାଖି ୨ଶହ ମାମଲା ରୁଜୁ ହୋଇଛି। ଏ କ୍ଷେତ୍ରରେ ଦେବଗଡ଼ ଜିଲାରେ ସର୍ବାଧିକ ୮୦ଟି ମାମଲା ରୁଜୁ ହୋଇଥିବା ବେଳେ ପଛକୁ ମୟୂରଭଂଜ ଜିଲାରେ ୫୬ ମାମଲା ରୁଜୁ ହୋଇଛି। ସେହିପରି ଗଜପତିରେ ୧୨ଟି, ବ୍ରହ୍ମପୁରରେ ୧୧ଟି, ବାଲେଶ୍ବରରେ ୧୦ଟି, ଯାଜପୁର ଓ କେନ୍ଦ୍ରାପଡ଼ାରେ ୭ଟି ଲେଖାଏଁ, ସମ୍ବଲପୁରରେ ୫ଟି, ଜଗତସିଂହପୁରରେ ୩ଟି, କୋରାପୁଟ ଓ ବଲାଙ୍ଗୀରରେ ୨ଟି ଲେଖାଏଁ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି।
ଉଦ୍ବେଗର କଥା ଯେ, ମାମଲା ରୁଜୁ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା,ବଲାଙ୍ଗୀର, ବ୍ରହ୍ମପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ କଳାହାଣ୍ଡି ଭଳି ୭ଟି ଜିଲାରେ ଆଦୌ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ୨ଶହ ମାମଲାରୁ ମାତ୍ର ୩୨ଜଣଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିଛି। ଏପରିକି ଅନେକ କ୍ଷେତ୍ରରେ ପୋଲିସ ଅଭିଯୁକ୍ତଙ୍କୁ ନୋଟିସ୍ ବି କରିନାହିଁ।
ସୂଚନା ଯେ, ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ପୁଅ, ଝିଅ, ବୋହୂ ନିର୍ଯାତନା ଦେଉଥିବା ନେଇ କେଉଁ ଥାନାରେ କେତେ ମାମଲା ରୁଜୁ ହୋଇଛି ଓ ଅଭିଯୁକ୍ତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି; ବିଧାନସଭାରେ ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖି ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ଥାନାରେ ସିନିଅର ସିଟିଜେନ୍ ସେଲ୍ ଖୋଲାଯାଇ ନୋଡାଲ୍ ଅଫିସର୍ ନିଯୁକ୍ତ କରାଯାଇଛି। ନିର୍ଯାତନା ନେଇ କୌଣସି ଅଭିଯୋଗ ଆସିଲେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି।
