ଡ଼ିଜେ ଶଦ୍ଦରେ କମ୍ପୁଛି ଶ୍ରୀମନ୍ଦିର ଚାରିପଟ
ପୁରୀ : ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଅତି ଉଚ୍ଚ ଶଦ୍ଦ ସମ୍ପନ୍ନ ଡ଼ିଜେ ବାଜା ବାଜିବା ଯୋଗୁ ଶ୍ରୀମନ୍ଦିର ଚାରିପଟେ ସ୍ଥାନୀୟ ବାସିନ୍ଦା ଓ ତୀର୍ଥଯାତ୍ରୀମାନେ ଅତିଷ୍ଟ ହୋଇପଡ଼ିଲେଣି । ଶ୍ରୀମନ୍ଦିର ଅତି ନିକଟରେ ଥିବା ଅତିଥି ଗୃହରେ ବିବାହ ଉତ୍ସବ ପାଇଁ ଡ଼ିଜେ ବାଜା ବାଜୁଥିବା ସମୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣନଥିବା ଅଭିଯୋଗ ହେଉଛି । ସବଡ଼ିଭିଜିନାଲ ମାଜିଷ୍ଟ୍ରେଟଙ୍କ ଠାରୁ ବାଜା ଓ ଶୋଭାଯାତ୍ରା ପାଇଁ ଅନୁମତି ପତ୍ର ଆଣୁଥିବା ବେଳେ ସେଥିରେ ଥିବା ସର୍ତ ଗୁଡ଼ିକୁ ମାନୁନଥିବା ଅଭିଯୋଗ ହେଉଛି । ରାସ୍ତାରେ ଅଧିକ ଗହଳି ନକରିବା ପାଇଁ ଆଦେଶ ଥିଲେ ମଧ୍ୟ ରାସ୍ତା ଜାମ ହେଉଥିବା ଦେଖିବାକୁ ମିଳୁଛି । କେବଳ ଆଦେଶନାମା ଖଣ୍ଡିଏ ସଂପୃକ୍ତ ଥାନାରେ ଧରାଇ ଦେଇ ଅଧିକ ଶଦ୍ଦ ସୃଷ୍ଟି କରି ବାଜା ବଜାଇ ଶଦ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗ ହେଉଛି । ଅଧିକ ଶଦ୍ଦ ବ୍ୟବହାର କରୁଥିବା ଡ଼ିଜେ ଗୁଡ଼ିକ ସିଜ୍ କରିବା ପାଇଁ ସାଧାରଣରେ ଦାବି ହେଉଛି ।
