ଆଫଗାନିସ୍ତାନରେ ୪.୧ ଓ ତାଜିକସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ତାଜିକସ୍ତାନରେ ଭୂକମ୍ପ । ରିକ୍ଟର ସ୍କେଲରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ତାଜିକସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏଥିରେ କୌଣସି ସ୍ଥାନରେ ବଡ଼ଧରଣର କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ଏଥିସହିତ ମଣିପୁରରେ ମଧ୍ୟ ୩.୨ ତୀବ୍ରତାର ଭୂମିକମ୍ପଜ ଅନୁଭୂତ ହୋଇଥିବାର ସୂଚନା ମିଳିଛି।
ସୂଚନା ଯେ, ଗତ ୬ ତାରିଖରେ ହୋଇଥିବା ଭୂକମ୍ପ ଯୋଗୁଁ ତୁର୍କୀ ଏବଂ ସିରିୟାରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଲକ୍ଷାଧିକ ଘର ମାଟିରେ ମିଶିଯାଇଛି। ମାଳତ୍ୟ ସମେତ ମୋଟ୍ ୧୧ଟି ତୁର୍କୀ ପ୍ରଦେଶରେ ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଗତକାଲି ତୁର୍କୀରେ ପୁଣିଥରେ ଭୂମିକମ୍ପ ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ପଛକୁ ପଛ ଭୂକମ୍ପ ଅନୁଭୂତ ହେଉଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଏବେବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଯାଏଁ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୫୦ ହଜାର ଡେଇଁସାରିଲାଣି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି ଶକ୍ତିଶାଳି ଭୂକମ୍ପ ଲାଗି ତୁର୍କୀରେ ଅନେକ ଘର ଭାଙ୍ଗି ଚୁର୍ମାର ହୋଇଯାଇଛି । ଯାହାଫଳରେ ଅନେକ ଲୋକ ବେଘର ହୋଇଯାଇଛନ୍ତି ।
