ତିଗିରିଆ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଲେ କୃଷି ମନ୍ତ୍ରୀ
ଭୁବନେଶ୍ୱର : ଆଠଗଡ଼ର ପୂର୍ବତନ ବିଧାୟିକା ତଥା ଗଡ଼ଜାତ ତିଗିରିଆର ପରଲୋଗତ ରାଣୀ ରାସମଂଜରୀ ଦେବୀଙ୍କ ବିୟୋଗରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିବା ସହିତ ଆଜି ତାଙ୍କର ଶେଷ ଯାତ୍ରାରେ ଓ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି । ତିଗିରିଆଠାରେ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସ୍ୱର୍ଗତ ରାସମଂଜରୀ ଲୋକଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ଯୋଗୁ ତିଗିରିଆର ରାଣୀରୁ ସେ ରାଣୀମା’ ଭାବେ ଲୋକଙ୍କ ପାଖେ ପରିଚିତି ଲାଭ କରିଥିଲେ । ଗଡ଼ଜାତ ତିଗିରିଆର ରାଣୀ ଭାବରେ ସେ ୧୯୪୪ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ଶାସନଭାର ସମ୍ଭାଳି ଥିଲେ ଏବଂ ଅତ୍ୟନ୍ତ ପ୍ରଜାବତ୍ସଳ ରାଣୀ ଭାବେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ । ପରବର୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇ ୧୯୭୭ ମସିହାରେ ଆଠଗଡ଼ର ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ ୧୯୭୦-୭୧ରେ ତିଗିରିଆ ବ୍ଲକ୍ ଅଧ୍ୟକ୍ଷା ଏବଂ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଭାବେ କାର୍ଯ୍ୟଭାର ତୁଲାଇଥିଲେ । ରାସମଂଜରୀ ଦେବୀଙ୍କ ରାଜନୈତିକ ଚିନ୍ତାଧାରା ଓ ଆଦର୍ଶରେ ସେ ନିଜେ ଏବଂ ସମସାମୟିକ ରାଜନେତାମାନେ ବହୁଳ ଭାବରେ ଅନୁପ୍ରାଣିତ ହୋଇଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପରିଣତ ବୟସରେ ମଧ୍ୟ ରାଣୀମା’ ଜନସେବାରେ ନିଜକୁ ନିୟୋଜିତ କରି ନିଜ ଅଂଚଳର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ ଜାରି ରଖିଥିଲେ । ତାଙ୍କର ପରଲୋକରେ ସମସ୍ତ ଆଠଗଡ଼-ତିଗିରିଆ ଅଂଚଳ ଜଣେ ସ୍ନେହୀ, ଦରଦୀ ଓ ମମତାମୟୀ ଅଭିଭାବକଙ୍କୁ ହରାଇଲା ଏବଂ ଯୋଗଜନ୍ମା ମହିଳାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ରହିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଣୀମା’ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
