କେନ୍ଦୁଝର ଜିଲ୍ଲା ସାମ୍ବାଦିକ ୟୁନିୟନର ବାର୍ଷିକ ବୈଠକ,ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ
କେନ୍ଦୁଝର : ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) କେନ୍ଦୁଝର ଜିଲ୍ଲା ଶାଖା ର ବାର୍ଷିକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ଜିଲ୍ଲା ସଦର ମହକୁମା ଧାଙ୍ଗରପଡା ଠାରେ ଥିବା ଅମ୍ବିକା ମଣ୍ଡପ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓୟୁଜେ ର ଜିଲ୍ଲା ଶାଖା ସଭାପତି କ୍ଷେତ୍ରବାସୀ ମହାକୁଡ଼ ବୈଠକରେ ଅଧକ୍ଷତା କରିଥିବାବେଳେ ସଂଘର ବରିଷ୍ଠ ସଦସ୍ୟ ପ୍ରଣୟ ପାଣି ସଭାକୁ ପରିଚାଳିତ କରିଥିଲେ । ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ମାନସ ରଂଜନ ତ୍ରିପାଠୀ ସାମ୍ବାଦିକ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ଉପରେ ଗୁରୁତ୍ୱ ଦେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ କରିଥିଲେ । ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାକୁ ୨ଲକ୍ଷ ରୁ ବଢ଼ାଇ ୫ ଲକ୍ଷ କୁ ବୃଦ୍ଧି ସହ ପେନସନ ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରବର୍ତୀ ସମୟ ରେ ଏପ୍ରିଲ କି ମେ ମାସରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯିବା ର ଉକ୍ତ ସଭା ରେ ଧାର୍ଯ୍ୟ କରାଯାଇଲା । ଏହା ସହ ଆଗାମୀ ଦିନରେ ଜିଲ୍ଲା ରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବେ ବୋଲି ବୈଠକରେ ମତ ପ୍ରକାଶ କରିଥିଲେ । ଉକ୍ତ ବୈଠକ ରେ ଓୟୁଜେ ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ରଞ୍ଜନ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶରତ ଚନ୍ଦ୍ର ଦାସ, କୋଷାଧକ୍ଷ ଅଭୟ ମହାନ୍ତି, ବରିଷ୍ଠ ସଦସ୍ୟ କୈଳାସ ପ୍ରଧାନ ଏବଂ ଶ୍ରୀନିବାସ ପାଇକରାୟ ପ୍ରମୁଖ ମଂଚାସିନ ହୋଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଏବଂ ସମାଧାନ ବାବଦରେ ଆଲୋକପାତ କରିଥିଲେ । ଏହି ବୈଠକରେ ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ ସାମ୍ବାଦିକ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ କର୍ତବ୍ୟରତ ସାମ୍ବାଦିକ ମାନେ ନିଜ ନିଜର ମର୍ଯ୍ୟାଦା ଭିତରେ ରହି ଜନସାଧାରଙ୍କ ବିଭିନ୍ନ ସମାସ୍ୟା କୁ ଲୋକ ଲୋଚନକୁ ଆଣିବା ଦିଗରେ ଯତ୍ନବାନ ହେବାକୁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓୟୁଜେ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ସିଟିଜି ର ପ୍ରତିଷ୍ଠାତା ରାଜେନ୍ଦ୍ର ପଲେଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
