ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବଲାଙ୍ଗିର : ତୁରେକେଲା ବ୍ଲକ ଅନ୍ତର୍ଗତ କୁରୁଆମୁଣ୍ଡ ପଂଚାୟତର ବିର୍ଣା ଗ୍ରାମର କ୍ରସର ପାଖରେ ଥିବା ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି କଂଟାବାଞ୍ଜି ପୋଲିସ । ମୃତ ଯୁବକଙ୍କ ନାମ ସୋବିଲିୟାସ ହରପାଲ (୨୬) । ସେ ସ୍ପନ୍ଦନା ମାଇକ୍ରୋ ଫାଇନାନ୍ସ କଂଟାବାଞ୍ଜି ଲୋନ୍ ଅଫିସର ରୂପେ କାମ କରୁଥିଲେ । ଗତ ଦୁଇଦିନ ଧରି ସେ କମ୍ପାନୀର ଅର୍ଥ ଆଦାୟ ପାଇଁ ଯାଇଥିବା ବେଳେ ଆଉ ଫେରି ନଥିଲେ, ତାଙ୍କର ଖୋଜଖବର ମିଳିନଥିଲା । ଆଜି ସକାଳେ ଗ୍ରାମ ଲୋକେ ନିତ୍ୟକର୍ମ ପାଇଁ ଯାଇଥିବା ବେଳେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପାଖରେ ଏକ ଟିଭିଏସ କମ୍ପାନୀର ଆପାଚି ଗାଡ଼ି ନମ୍ବର ଓଡି୧୭ୟୁ ୬୧୪୩ ପଡି ଥିବାରୁ ଗାଡିଟି ଶ୍ରୀ ହରପାଲଙ୍କ ବୋଲି କଂଟାବାଞ୍ଜି ପୋଲିସ ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ସାଇଂଟିଫିକ୍ ଦଳ ପହଂଚିଛି । କିପରି ଓ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ଘଟିଲା ସେନେଇ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ପୋଲିସ ।
