ପ୍ରଧାନମନ୍ତ୍ରୀଙ୍କ ୯୮ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ “ଆବର୍ଜନା ରୁ ସମ୍ପଦ” ହେଉଛି ‘ସ୍ୱଚ୍ଛ ଭାରତ ଅଭିଯାନ’ର ଗୁରୁତ୍ୱପୂର୍ଣ୍ଣ ଅବଦାନ : ସମୀର ମହାନ୍ତି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଦେଶବାସୀଙ୍କୁ ପ୍ରେରଣା ଦେଇଆସୁଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଭଳି ଭାବେ ‘ମନ୍ କି ବାତ୍’ରେ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଂଚଳର କମଳା ମହାରଣାଙ୍କ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଥିବା ଉଦାହରଣ ଦେଲେ ତାହା ଆମ ପାଇଁ ଗର୍ବର ବିଷୟ । ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ସଚେତନତାର ବାର୍ତା ଦେବା ସହ କିଭଳି ଅଳିଆରୁ ସମ୍ବଳ ପ୍ରସ୍ତୁତ କରିବା କଥା ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ମୋଦିଜୀଙ୍କ ‘ମନ୍ କି ବାତ୍’ରେ ଓଡିଶାର ସଂସ୍କୃତି ଓ ପରମ୍ପରା ତଥା ବିଶେଷଭାବେ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ କଥା ଉଲ୍ଲେଖ କରିବା ଓଡିଶାର ମା’ଭଉଣୀମାନଙ୍କୁ ପ୍ରେରଣା ଯୋଗାଇଛି । ଦେଶର ଅନାଲୋଚିତ କଥାକୁ ମୋଦିଜୀ ଅଧ ଘଂଟାରେ ଦେଶବାସୀଙ୍କ ସମ୍ମୁଖରେ ପ୍ରକାଶ କରିବା ଏକ ଶିକ୍ଷଣୀୟ ବିଷୟ । ଭାରତୀୟ କଣ୍ଡେଇ, ଶାସ୍ତ୍ରୀୟ ସଂଙ୍ଗୀତ କଥାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି । ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱର ମୁଣ୍ଡାସାହିର ବୁଥ ନଂ-୩୩, ୱାର୍ଡ ନଂ୪୮ରେ କାର୍ଯ୍ୟକର୍ତାଙ୍କ ଗହଣରେ ‘ମନ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି । ସମାଜରେ ଅତ୍ୟନ୍ତ ସାଧାରଣ ଜୀବନ ଯାପନ କରୁଥିବା ଲୋକମାନଙ୍କ ଅକୁହା କଥାକୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଥାନ୍ତି, ଯାହାକି ଆମ ସମସ୍ତଙ୍କ ଜୀବନଧାରାକୁ ପ୍ରଭାବିତ କରିଛି । “ଆବର୍ଜନାରୁ ସମ୍ପଦ” ହେଉଛି ‘ସ୍ୱଚ୍ଛ ଭାରତ ଅଭିଯାନ’ର ଗୁରୁତ୍ୱପୂର୍ଣ୍ଣ ଅବଦାନ । କେନ୍ଦ୍ରାପଡା ଜିଲ୍ଲାର କମଳା ମହାରଣା କ୍ଷୀର ପ୍ୟାକେଟ ଜରି, ଅନ୍ୟାନ୍ୟ ଜରି ସଂଗ୍ରହ କରି ତାକୁ ପୁଣି ବ୍ୟବହାର ଉପୋଯଗୀ କରୁଛନ୍ତି, ତାହା ସମସ୍ତଙ୍କୁ ପ୍ରଭାବିତ କରିଛି । ଆମେ ସମସ୍ତେ ଏକାଠି ହୋଇ ପ୍ଲାଷ୍ଟିକ ଜରିର କିଭଳି ସଦ୍ବିନିଯୋଗ ହୋଇପାରିବ ସେନେଇ ସଚେତନ ରହିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।ସମାଜର କ୍ଷମତା ସହ ଦେଶର କ୍ଷମତା ବୃଦ୍ଧି ପାଇଥାଏ ବୋଲି ମୋଦି କହିଛନ୍ତି । ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀ ‘ଏକତା ଦିବସ’ରେ ୩ଟି ପ୍ରତିଯୋଗିତା ଦେସବ୍ୟାପୀ ଆୟୋଜନ ହୋଇଥିଲା । ଦେଶାତ୍ମବୋଧ ଉପରେ ଆଧାରିତ ଗୀତ, ନାନାବାୟା ଗୀତ ଓ ମୁରୁଜ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିବା ସହ ଦେଶବାସୀ ଏକାଠି ହୋଇ ପ୍ଲାଷ୍ଟିକ ବ୍ୟାଗ ସ୍ଥାନରେ କପଡା ବ୍ୟାଗ ବ୍ୟବହାର କରିବା ପାଇଁ ମୋଦିଜୀ ଆହ୍ୱାନ ଦେଇଥିଲେ । ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ପୁଣି ଥରେ ପ୍ରୋତ୍ସାହିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମି ରଂଜନ କାନୁନଗୋ, ମଣ୍ଡଳ ସଭାପତି ରାମଚନ୍ଦ୍ର ରମଣସିଂହ, ଧୀରେନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାର୍ଟୀର ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧି, ଦଳୀୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଥିଲେ ।
