ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍, ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଦକ୍ଷିଣ ଆଫ୍ରିକା
କେପ୍ଟାଉନ୍ : ଆଜି ଆଇସିସି ମହିଳା ଟି-୨୦ ବିଶ୍ବକପ୍ ଫାଇନାଲ୍ । ଏହି ହାଇଭୋଲଟେଜ ଲଢେଇରେ ୫ ଥରର ଚାମ୍ପିଅନ ଅଷ୍ଟ୍ରେଲିଆ ଓ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଲଢେଇ। ରବିବାର ସନ୍ଧ୍ୟା ସାଢେ ୬ଟା ସମୟରେ ହେବ ଏହି ହାଇ ଭୋଲଟେଜ ମୁକାବିଲା । ମ୍ୟାଚ ପୂର୍ବରୁ ପଡିଥିବା ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା ।
ତେବେ ଡିଫେଣ୍ଡି ଚମ୍ପିଆନ୍ ଅଷ୍ଟ୍ରେଲିଆ ଲଗାତର ତୃତୀୟ ଟାଇଟଲ ଲକ୍ଷ୍ୟରେ ରହିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ଘରୋଇ ପରିବେଶରେ ଖେଳି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ମହିଳା ଟିଟ୍ବେଣ୍ଟି ବିଶ୍ବକପରେ ସବୁଠୁ ସଫଳ ଦଳ ହେଉଛି ଅଷ୍ଟ୍ରେଲିଆ । ପ୍ରଥମ ସଂସ୍କରଣକୁ ଛାଡି ଦଳ ବାକି ୬ଟି ସଂସ୍କରଣରେ ଫାଇନାଲ ଖେଳିଛି । ୨୦୧୦, ୨୦୧୨,୨୦୧୪ରେ ଅଷ୍ଟ୍ରେଲିଆ ଲଗାତାର ୩ଥର ଚମ୍ପିୟାନ ହୋଇଥିଲା । ୨୦୧୬ରେ ଦଳ ଫାଇନାଲରେ ୱେଷ୍ଟଇଣ୍ଡିଜ ପାଖରୁ ପରାଜିତ ହୋଇଥିଲା । ପରବର୍ତ୍ତୀ ୨ଟି ସଂସ୍କରଣ ୨୦୧୮ ଓ ୨୦୨୦ରେ ଦଳ ଟାଇଟଲ ହାସଲ କରିଥିଲା । ସେହିପରି ଚଳିତ ସଂସ୍କରଣରେ ମଧ୍ୟ ଅଷ୍ଟ୍ରେଲିଆ ଅପରାଜେୟ ସାବ୍ୟସ୍ତ ହୋଇଛି । ଗ୍ରୁପ ୧ରେ ଶୀର୍ଷରେ ରହି ଦଳ ସେମିରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆର ଖେଳାଳି ଉଭୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିରେ ଶକ୍ତିଶାଳୀ ଅଛନ୍ତି । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ।
ଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ହେଲେ ଲୌରା ଉଲ୍ଭର୍ଟ, ତାମିନ ବ୍ରିଟ୍ସ, ଅଲ୍ରାଉଣ୍ଡର ମାରିଜାନେ କାପ୍ଙ୍କୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ। ସେମାନଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କଠୁ ରନ୍ ବାହାର କରିବାକୁ ପଡ଼ିବ। ପୁଣି ବୋଲିଂରେ ସବ୍ନିମ ଇସ୍ମାଇଲ, ଆୟାବୋଙ୍ଗା ଖାକା, ନାଦିନେ ଡି କ୍ଲେର୍କ ଏବଂ କାପ୍ଙ୍କୁ ପ୍ରଭାବୀ ସାବ୍ୟସ୍ତ ହୋଇ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ପଡ଼ିବ। ନଚେତ୍ ଆଲିସା ହିଲି, ବେଥ୍ ମୁନି, ଅଧିନାୟିକା ମେଗ୍ ଲାନିଂ, ବିସ୍ଫୋରକ ଆସ୍ଲେ ଗାର୍ଡନର, ଏଲିସେ ପେରି ଏବଂ ଗ୍ରେସ୍ ହାରିସ୍ଙ୍କୁ ନେଇ ଶକ୍ତିଶାଳୀ ବ୍ୟାଟିଂକ୍ରମ ରଖିଥିବା ଅଷ୍ଟ୍ରେଲିଆ ବାଜି ମାରିନେବ। ବୋଲିଂରେ ଦାର୍ସି ବ୍ରାଉନ, ଗାର୍ଡନର, ଜେସ୍ ଜୋନାସେନ, ମେଘନା ଶ୍ଚୁଟ୍ ଏବଂ ତାହିଲା ମ୍ୟାକ୍ଗ୍ରା ପ୍ରତିପକ୍ଷ ପାଳିକୁ ବିପର୍ଯ୍ୟୟ ମୁହାଁ କରିବାର ସାମର୍ଥ୍ୟ ରଖନ୍ତି। ତେଣୁ ଉଭୟ ବ୍ୟାଟିଂ ଓ ବୋଲିଂରେ କିଛି କମାଲ ନଦେଖାଇଲେ ଦକ୍ଷିଣ ଆଫ୍ରିକାର ବିଶ୍ବକପ୍ ଜିତିବା ସ୍ବପ୍ନ ଅଧୂରା ରହିଯିବ। କିନ୍ତୁ ଅଧିନାୟିକା ସୁନେ ଲୁସ୍ ତାଙ୍କ ବୋଲିଂ ଆକ୍ରମଣ ବିଶ୍ବର ଶ୍ରେଷ୍ଠ ବୋଲି ଫାଇନାଲ୍ ପୂର୍ବରୁ ଚେତାଇ ଦେଇଛନ୍ତି। ପୁଣି ଦକ୍ଷିଣ ଆଫ୍ରିକା ଦଳକୁ ଘରୋଇ ଦର୍ଶକଙ୍କ ପୂରା ସମର୍ଥନ ମିଳିବ। ଫଳରେ ଆମେ ବିଜେତା ହେବା ପାଇଁ ସମସ୍ତ ପ୍ରୟାସ କରିବୁ ବୋଲି ଲୁସ୍ କହିଛନ୍ତି।
