ଶିମିଳିପାଳରୁ ପୁଣି ଶୀକାରୀ ଗିରଫ ହରିଣ ମାଂସ, ଦେଶୀବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବଦ
ବାରିପଦା : ବିଗତ କିଛି ମାସ ଧରି ଶିମିଳିପାଳ ଅଭୟାରଣ୍ୟ ଜନ୍ତୁ ଶୀକାର ନେଇ ଚର୍ଚ୍ଚାରେ ରହିଥିବା ବେଳେ, ବାରମ୍ବାର ହାତି ଶୀକାର ଏବଂ ବାଘ ଚମଡା ଜବଦ ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଚାଲିଥିବା ବେଳେ, ଶୀକାର ଥମିବାର ନାମ ନେଉନି । ଗୁରୁବାର ବିଳମ୍ବିତ ରାତିରେ ପିଥାବାଟା ସାଉଥ ୱାଇଲ୍ଡ ଲାଇଫ ରେଂଜର ଅନ୍ଧାରି ତୋଟା-୨ ବିଟ ଭିତରେ ରାତିରେ ପାଟ୍ରୋଲିଂ କରୁଥିବାବେଳେ, ଏସଟିପିଏଫ ଫରେଷ୍ଟ ଗାର୍ଡ ସନତ କୁମାର ନାୟକ, ଜୟନ୍ତ କୁମାର ମହାନ୍ତି, ରାଜେଶ ହେମ୍ବ୍ରମ, ଦେଓସାଇ ତୁତି ତଥା ଅନ୍ଧାରି ତୋଟା-୨ ବିଟ ସମସ୍ତ ସୁରକ୍ଷା ସହାୟକ ଗୁରୁବାର ରାତି ପ୍ରାୟ ୧୨.୪୦ ସମୟରେ ସିମିଳିପାଳ ଟାଇଗର ରିଜର୍ଭ ଭିତରେ ଅସ୍ତ୍ରଶସ୍ତ୍ର ଧରିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଦେଖି ପିଛା କରିଥିଲେ । ତେବେ ଖୁଂଟା ଥାନା ଅନ୍ତର୍ଗତ ଅଗ୍ନୀକୁମାରୀ ଗ୍ରାମର ଗୋବିନ୍ଦ ଟୁଡୁ ପି- ଚିନ୍ତାମଣି ଟୁଡୁ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ହରିଣର ମାଂସ ସହିତ ଏକ ଲୋଡେଡ ଦେଶୀ ବନ୍ଧୁକ, ଗନ ପାଉଡର, ଲୁହା ବଲ୍ ଏବଂ ଲୁହାଖଣ୍ଡ, ଫାସ, ମଶାଲ, ଟର୍ଚ୍ଚ ଲାଇଟ, ବାସନ କୁସନ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଜବଦ କରିଥିବାର ଜଣାଯାଇଛି । ତେବେ ଅନ୍ୟ ଜଣେ ଶୀକାରୀ ରାତିର ଘନ ଅନ୍ଧକାରର ସୁଯୋଗ ନେଇ ଖସିଯିବାରେ ସଫଳ ହୋଇଥିବାର ଜଣାଯାଇଛି । ତେବେ ଏ ବାବଦରେ ପିଥାବାଟା ସାଉଥ ୱାଇଲ୍ଡ ଲାଇଫ ରେଂଜ ଅଧୀନରେ ଏକ ବନ୍ୟଜନ୍ତୁ ଅପରାଧ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି । ଶୀକାରୀଙ୍କୁ ଧରିଥିବା ଫରେଷ୍ଟଗାର୍ଡ ଏବଂ ସୁରକ୍ଷା ସହାୟକ ମାନଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିବାର ଶିମିଳିପାଳ ସାଉଥ ୱାଇଲ୍ଡଲାଇଫ ଡିଭିଜନର ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।
