“ପର୍ଯ୍ୟାବରଣୀୟ ସ୍ଥିତାବସ୍ଥା ନିମିତ୍ତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଦୁଇ-ଦିବସୀୟ ଆନ୍ତର୍ଜାତୀୟ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିବେଶ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ “ପର୍ଯ୍ୟାବରଣୀୟ ସ୍ଥିତାବସ୍ଥା ନିମିତ୍ତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଦୁଇ-ଦିବସୀୟ ଆନ୍ତର୍ଜାତୀୟ କର୍ମଶାଳା ଶୁକ୍ରବାର ଉଦ୍ଘାଟିତ ହୋଇଛି । ଏଥିରେ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍, ନୂଆଦିଲ୍ଲୀର ପୂର୍ବତନ ବିଷୟ ବିଶେଷଜ୍ଞ ସଦସ୍ୟ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ, ପରିବେଶ ବିଜ୍ଞାନ ବିଭାଗର ପୂର୍ବତନ ବିଭାଗ ମୁଖ୍ୟ ପ୍ରଫେସର ପ୍ରମୋଦ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରିବେଶ ପ୍ରତି ମଣିଷର ଦାୟବଦ୍ଧତା ଓ ତଦନୁସାରୀ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା ନୂଆନୂଆ ସମ୍ଭାବନାର ମାର୍ଗ ଉନ୍ମୋଚନରେ କିପରି ସହାୟକ ହୋଇ ପାରିବା ସମ୍ପର୍କରେ ଆଲୋଚନା କରିଥିଲେ ।
ଡ. ଡିକେ ପଣ୍ଡା, ଗବେଷକ ପ୍ରଫେସର, ଯୁକ୍ତରାଷ୍ଟ୍ର ଆମେରିକାରୁ ଅତିଥି ରୂପେ ଯୋଗଦେଇ ପରିବେଶ ପ୍ରତି ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବଦ୍ଧତା ଉପରେ ଆଲୋକପାତ କରିଥିଲେ । ପରିବେଶ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଏକ ଜୈବ-ଆଞ୍ଚଳିକତାର ବୈଶିଷ୍ଟ୍ୟମୟ ଶୃଙ୍ଖଳା ଗବେଷଣା କ୍ଷେତ୍ରରେ ନିରୁତା ଉପାଦାନ ଯୋଗାଇଥାଏ ବୋଲି ମତ ଦେଇଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସାମ୍ପ୍ରତିକ ସମୟରେ ପରିବେଶ ଓ ପ୍ରଯୁକ୍ତିବିଦ୍ୟା ଉଭୟର ଗୁରୁତ୍ୱକୁ ସ୍ୱୀକାର କରିବା ସହିତ ପ୍ରଦୂଷଣ ଓ ମାନବ ସମାଜ ଉପରେ ଏହାର ପ୍ରତିକୂଳ ପରିଣତି ପ୍ରତି ସଚେତନ କରାଇବା ସହିତ ଜୈବିକ ଉତ୍ପାଦ ଓ ପଦ୍ଧତିର ବିକାଶ ଓ ପ୍ରୟୋଗ ପ୍ରତି ଯତ୍ନବାନ୍ ହେବା ଉଚିତ୍ ବୋଲି ପ୍ରକାଶ କରିଥିଲେ । ପରିବେଶ ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟ ସହଯୋଗୀ ପ୍ରଫେସର ଡ. ପ୍ରକାଶ ଚନ୍ଦ୍ର ମିଶ୍ର ଏହି ଆନ୍ତର୍ଜାତୀୟ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇ ‘ସର୍ବଜନ ସୁଖାୟ ସର୍ବଜନ ହିତାୟ’ ବିଜ୍ଞାନର ପ୍ରମୁଖ ମିମାଂସା ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ମାନେ ଏହି କର୍ମଶାଳାର ସାରାଂଶ ତଥା ସିଦ୍ଧାନ୍ତ ଏବଂ ‘ଫିଦେଡ୍ ଫ୍ରେଣ୍ଡସ୍ ଅଫ୍ ଏଫ୍ଏମ୍ୟୁ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏଥିସହିତ ଗବେଷକ ବିଦ୍ୟାର୍ଥୀଙ୍କ ଗବେଷଣା ପ୍ରାସଙ୍ଗିକ ପୋଷ୍ଟର ପ୍ରଦର୍ଶନୀ ଏବଂ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅମଳକ୍ଷମ ବିଭିନ୍ନ ପ୍ରକାରର ଧାନ ଗୁଡ଼ିକର ଏକ ପ୍ରଦର୍ଶନୀ ପରିବେଶ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆୟୋଜନ କରାଯାଇଛି । ଶେଷରେ ସହକାରୀ ପ୍ରଫେସର ଡ. ମିହିର ତନୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
