ମହିଳା ଟି-୨୦ ବିଶ୍ୱକପ ସେମିଫାଇନାଲ: ପୁଣି ନିରାଶ ହେଲା ଭାରତ, ସପ୍ତମ ଥର ପାଇଁ ଫାଇନାଲରେ ଅଷ୍ଟ୍ରେଲିଆ
କ୍ୟାପ୍ଟାଉନ: ମହିଳା ଟି-୨୦ ବିଶ୍ୱକପ୍ରେ ପୁଣି ନିରାଶ ହେଲା ଭାରତ । ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ମାତ୍ର ୫ ରନ୍ରେ ହାରିଲେ । ଫଳରେ ଭାରତ ନିରାଶ ହେବା ସହ ସପ୍ତମ ଥର ପାଇଁ ଫାଇନାଲରେ ପହଂଚିଲା ଅଷ୍ଟ୍ରେଲିଆ ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିପାରିଥିଲା । ଫଳରେ ସେମିଫାଇନାଲ୍ ମ୍ୟାଚ୍କୁ ଅଷ୍ଟ୍ରେଲିଆ ୫ ରନ୍ରେ ଜିତି ନେଇଛି ।
ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବର୍ତମାନର ଚାମ୍ପିଅନ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୨ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ଓପନର ବେଥ୍ ମୁନୀ ସର୍ବାଧିକ ୫୪ ରନ୍ କରିଥିବା ବେଳେ ତାଙ୍କ ପଛକୁ ମିଗ୍ ଲାନିନିଙ୍ଗ ୪୯ ରନ୍ ଏସ୍ଲେ ଗାର୍ଡନର ୩୧, ଏଲିସା ହିଲି ୨୫ ଓ ଏଲିସେ ପେରୀ ମାତ୍ର ୨ ରନ୍ କରିଥିଲେ । ଅଷ୍ଟ୍ରେଲିଆ ଦୁଇ ଓପନର ବ୍ୟାଟର ଏଲିସା ହିଲେ ଓ ବେଥ ମୁନୀ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ । ଦଳ ୫ ଓଭରରେ ୩୧ ରନ୍ କରିଥିଲା । ଉଭୟ ବ୍ୟାଟର ୭.୩ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବା ପରେ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା । ରାଧା ଯାଦବଙ୍କ ବଲ୍ରେ ଏଲିସା ହିଲିଙ୍କୁ ଷ୍ଟମ୍ପଆଉଟ୍ କରିଥିଲେ ରିଚା ଘୋଷ । ତେବେ ଯିବା ପୂର୍ବରୁ ହିଲି ୨୬ ବଲ୍ରେ ୨୫ ରନ୍ କରିଥିବା ବେଳେ ମୁନୀ ଓ ହିଲିଙ୍କ ପାର୍ଟନର୍ସିପ୍ରେ ଦଳ ୪୫ ବଲ୍ରେ ୫୨ ରନ୍ କରିଥିଲା । ହିଲିଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ମିଗ୍ ଲାନିନିଙ୍ଗ୍ । ଉଭୟ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୧୧ ଓଭରରେ ୭୮ ରନ୍ କରିଥିଲା । ଏହାପରେ ବେଥ ମୁନୀ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାର ତୁରନ୍ତ ପରେ ତାଙ୍କ ୱିକେଟ୍ ଯାଇଥିଲା । ୧୧.୫ ଓଭରରେ ଶିଖା ପାଣ୍ଡେଙ୍କ ବଲ୍ରେ ଶେଫାଳୀଙ୍କ ହାତକୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ ମୁନୀ । ଦଳ ପାଇଁ ସେ ୩୭ ବଲ୍ରେ ୫୪ ରନ୍ କରିଥିଲେ । ସେ ଆଉଟ୍ ହେବା ପରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏସ୍ଲେ ଗାର୍ଡନର । ଉଭୟ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ । ଫଳରେ ଦଳ ୧୫ ଓଭରରେ ୧୧୩ ରନ୍ କରିଥିଲା । ଗୋଟିଏ ପଟେ ଗାର୍ଡନର ବଡ଼ ବଡ଼ ଶଟ୍ ଖେଳି ଦ୍ରୁତ ରନ୍ ସଂଗ୍ରହ କରୁଥିବା ବେଳେ ମିଗ୍ ଲାନିନିଙ୍ଗ୍ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଜାରି ରଖିଥିଲେ । ୧୭.୮ ଓଭରରେ ଗାର୍ଡନର(୩୧)ଙ୍କ ୱିକେଟ୍ ଯାଇଥିଲା । ଦୀପ୍ତି ଶର୍ମା ତାଙ୍କୁ ବୋଲ୍ଡ କରିଦେଇଥିଲେ । ଏହାପରେ ୧୮.୩ ଓଭରରେ ଶିଖା ପାଣ୍ଡେ ଗ୍ରେସ୍ ହ୍ୟାରିସଙ୍କୁ ଆଉଟ୍ କରିଥିଲେ । । ଶେଷ ପର୍ଯ୍ୟନ୍ତ ମିଗ ଲାନିନିଙ୍ଗ୍ ଓ ଏଲିସେ ପେରୀ ବ୍ୟାଟିଂ ଜାରି ରଖିଥିଲେ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା । ଲାନିନିଙ୍ଗ ୩୪ ବଲ୍?ରେ ଦ୍ରୁତ ୪୯ ରନ୍ କରିଥିଲେ । ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ୧୭୩ ରନ୍ କରିବାକୁ ପଡିବ । ଭାରତ ପକ୍ଷରୁ ବୋଲିଂ ରାଧା ଯାଦବ ଦିପ୍ତୀ ଶର୍ମା ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ଶିଖା ପାଣ୍ଡେ ୨ଟି ୱିକେଟ୍ ନେଇଥିଲେ । ଅନ୍ୟ କୌଣସି ବୋଲର ୱିକେଟ୍ ନେବାର ସଫଳ ହୋଇନଥିଲେ ।
