ବିଧାନସଭାରେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ କରି କକ୍ଷତ୍ୟାଗ କଲେ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର : ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଗୁରୁବାର ଦିନ ବିଧାନସଭାରେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣି କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ଗୃହରେ କହିବା ପାଇଁ ସୁଯୋଗ ଦିଆଯାଉନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାରୟକ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦେଶରେ, ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ବିଧାୟକ ପାଣ୍ଠି ଖର୍ଚ୍ଚ ନେଇ ବିଧାନସଭାର ପ୍ରଶ୍ନକାଳରେ ଆଲୋଚନା ସମୟରେ ନିଜ ଅସନ୍ତୋଷ ବ୍ୟକ୍ତ କରି ଗୃହତ୍ୟାଗ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ କହିଛନ୍ତି, ବାଚସ୍ପତି ଓଡ଼ିଶାବାସୀଙ୍କ ସ୍ୱାର୍ଥ ସପକ୍ଷରେ ଥିବା ଜଣାପଡ଼ୁନାହିଁ । ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋ ନିର୍ବାଚନୀ ଜିଲ୍ଲାରୁ ଆସୁଛନ୍ତି । ମୁଁ ଭାବୁଛି ମୋତେ ପକ୍ଷପତିତା କରାଯାଇ ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଗୋପାଳପୁରର ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଇ ଦିଆଯାଉ ନାହିଁ ।
