ସାସାରାମରେ ମାଲବାହୀ ଟ୍ରେନ୍ ର ୧୩ ବଗି ଲାଇନଚ୍ୟୁତ
ପାଟନା : ସାସାରାମରେ ଗୁରୁବାର ଏକ ମାଲବାହୀ ଟ୍ରେନ୍ ର ୧୩ଟି ବଗି ଲାଇନଚ୍ୟୁତ ହୋଇଛି । କରଂବଦିୟା ଓ ପହଲେଜା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଯାହାକି ପଣ୍ଡିତ ଦିନଦୟାଲ ଉପାଧ୍ୟାୟ – ଗୟା ରେଳ ରୁଟ୍ ରେ ରହିଛି । ଏହି ମାଲବାହୀ ଟ୍ରେନ୍ ଟି ଡିଡିୟୁରୁ ଗୟା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ମୁଖ୍ୟ ଲାଇନ ପ୍ରଭାବିତ ହୋଇନାହିଁ । ଏଥିପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଉପରେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ । ତେବେ ମାଲ୍ ଧୋଇବା ପାଇଁ ବ୍ୟବହୃତ ଡେଡିକେଟେଡ୍ ଫ୍ରଂଟ କରିଡ଼ରର ଅପ୍ ତଥା ଡାଉନ୍ ଦୁଇଟି ଯାକର ପରିଚାଳନା ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ପରେ ରେଳ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।
