ମହିଳା ଟି-୨୦ ବିଶ୍ବକପ ସେମିଫାଇନାଲ : ଫାଇନାଲ ଲକ୍ଷ୍ୟରେ ଭାରତ, ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି
କେପଟାଉନ : ଆଇସିସି ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ଆଜି ଭାରତ ଓ ଅଷ୍ଟ୍ରେଲିଆ ମୁକାବିଲା । ଏହି ମ୍ୟାଚ ଦକ୍ଷିଣ ଆଫ୍ରିକାର କେପଟାଉନ ସ୍ଥିତ ନ୍ୟୁଲ୍ୟାଣ୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଏଥିରେ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ଭାରତ ଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଫଳରେ ପ୍ରଥମେ ବୋଲିଂ କରିବ ଭାରତ ।
ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ପୂଜା ବସ୍ତ୍ରକର ଶ୍ୱାସକ୍ରିୟା ଜନିତ ସଂକ୍ରମଣ କାରଣରୁ ଟିମରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସ୍ନେହ ରାଣାଙ୍କୁ ଖେଳାଯାଉଛି । ସେହିପରି ରାଜେଶ୍ବରୀ ଗାଏକ୍ବାଡଙ୍କ ସ୍ଥାନରେ ରାଧା ଯାଦବଙ୍କୁ ଖେଳାଯାଉଛି । ଭାରତ ପରି ଅଷ୍ଟ୍ରେଲିଆ ଦଳରେ ବି ଦୁଇଟି ପରିବର୍ତ୍ତନ କରାଯାଇଛି । ଆଲାନା କିଙ୍ଗଙ୍କ ସ୍ଥାନରେ ଜେସ୍ ଜୋନାସେନ ଓ ଆନାବେଲ ସଦରଲାଣ୍ଡଙ୍କ ସ୍ଥାନରେ ଆଲିସା ହିଲିଙ୍କୁ ସାମିଲ କରାଯାଇଛି ।
ଚଳିତ ଟି-୨୦ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଭାରତ। ଗ୍ରୁପ୍ ପର୍ଯ୍ୟାୟରେ ଖେଳାଯାଇଥିବା ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ। ଗ୍ରୁପ୍ ପର୍ଯ୍ୟାୟରେ କେବଳ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ। ତେବେ ଗ୍ରୁପ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ପରେ ଏବେ ଟିମ୍ ଇଣ୍ଡିଆର ଲକ୍ଷ୍ୟ ସେମିଫାଇନାଲ ଉପରେ । ସେମିଫାଇନଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲ ଖେଳିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ସେପଟେ ଅଷ୍ଟ୍ରେଲିଆ କଥା ଯଦି କହିବା ତାହାଲେ ଅଷ୍ଟ୍ରେଲିଆ ଲଗାତର ଭାବରେ ବଡ଼ ଟୁର୍ଣ୍ଣାମେଣ୍ଟ ଚମତକାର ପ୍ରଦର୍ଶନ କରିଆସୁଛି। ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସମସ୍ତ ୪ଟି ମ୍ୟାଚ୍ ଜିତି ଗ୍ରୁପ୍-୧ରେ ଶୀର୍ଷ ସ୍ଥାନରେ ରହିଥିଲା। ତେବେ ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରେ ସଫଳତା ପାଇବା ପରେ ସେମିଫାଇନାଲରେ ମଧ୍ୟ ବିଜୟ ଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ।
