ଟେଷ୍ଟ ରାଙ୍କିଂ : ଖସିଲେ କମିନ୍ସ, ପୁଣି ଥରେ ଶୀର୍ଷରେ ଜେମ୍ସ ଆଣ୍ଡରସନ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ଵାରା ବୁଧବାର ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି । ଆଇସିସି ଦ୍ଵାରା ଜାରି ସଦ୍ୟତମ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଏକ ନମ୍ବର ବୋଲର ପାଟ କମିନ୍ସ ଦୁଇଟି ସ୍ଥାନ ହରାଇ ତୃତୀୟକୁ ଖସିବା ସହ ନମ୍ବର ଓ୍ଵାନ ବୋଲରର ମାନ୍ୟତା ହରାଇଛନ୍ତି। ଇଂଲଣ୍ଡର ଷ୍ଟାର ବୋଲର ତଥା ବରିଷ୍ଠ ଖେଳାଳି ଜେମ୍ସ ଆଣ୍ଡରସନ ପୁଣି ଥରେ ଶୀର୍ଷ ସ୍ଥାନକୁ ଉଠିଛନ୍ତି। କମିନ୍ସ ୧୪୬୬ ଦିନ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ଥିଲେ। ଏହି ଅଷ୍ଟ୍ରେଲିଆ ବୋଲରଙ୍କ ରେଟିଂ ପଏଣ୍ଟ ୮୫୮କୁ ଖସିଥିବା ବେଳେ ଆଣ୍ଡରସନଙ୍କ ପଏଣ୍ଟ ୮୬୬କୁ ବୃଦ୍ଧି ଘଟିଛି। ଆଣ୍ଡରସନ ନିଜ କ୍ୟାରିୟରରେ ଷଷ୍ଠ ଥର ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ଶୀର୍ଷରେ ଥିଲେ।
୪୦ ବର୍ଷୀୟ ଆଣ୍ଡରସନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଘାତକ ବୋଲିଂ କରିଥିଲେ। ସେ ମ୍ୟାଚ୍ରେ ମୋଟ୍ ୭ ଓ୍ଵିକେଟ୍ ଦଖଲ କରିଥିଲେ। ଆଣ୍ଡରସନ ପ୍ରଥମ ଇନିଂସରେ ତିନି ଏବଂ ଦ୍ଵିତୀୟ ଇନିଂସରେ ୪ ଓ୍ଵିକେଟ୍ ନେଇଥିଲେ। ଏହି ମ୍ୟାଚ୍ରେ ଇଂଲଣ୍ଡ ୨୬୭ ରନରେ ବିଜୟ ହାସଲ କରିଥିଲା। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ଦ୍ଵିତୀୟ ତଥା ଅନ୍ତିମ ମ୍ୟାଚ୍ ଫେବୃଆରୀ ୨୪ରୁ ଆରମ୍ଭ ହେବ। ଗୋଟିଏ ପଟେ ଆଣ୍ଡରସନ ନିଜ ପ୍ରଦର୍ଶନରେ ଛାପ ଛାଡୁଥିବା ବେଳେ ଅନ୍ୟପଟେ କମିନ୍ସ ଭାରତ ଗସ୍ତରେ ଏ ପର୍ଯ୍ୟନ୍ତ ପ୍ରଭାବହୀନ ରହିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମୁକାବିଲା ମାର୍ଚ୍ଚ ୧ରୁ ଖେଳାଯିବ।
