ଭାରତରେ ଭଲ ଫୁଟବଲ ଖେଳାଳିଙ୍କ ଅଭାବ ରହିଛି : ଷ୍ଟିମାକ
ନୂଆଦିଲ୍ଲୀ : ଭାରତରେ ଭଲ ଫୁଟବଲ ଖେଳାଳିଙ୍କ ଅଭାବ ରହିଛି । ଉଚ୍ଚକୋଟୀର ଖେଳାଳି ଆଉ ଦେଖିବାକୁ ମିଳୁ ନାହାନ୍ତି । ଆବଶ୍ୟକ ପଦକ୍ଷେପ ଓ ପ୍ରୋତ୍ସାହନ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ଭାରତୀୟ ଜାତୀୟ ଫୁଟବଲ ଟିମର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ । ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତର ଦେବା ଅବସରରେ ସେ ଏଭଳି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ଇଣ୍ଡିଆନ ସୁପର ଲିଗ(ଆଇଏସଏଲ) ଓ ଆଇଲିଗ ଭଲ ଖେଳାଳି ସୃଷ୍ଟି ଦିଗରେ ଯେଭଳି ପ୍ରୟାସ କରିବା କଥା, ତାହା କରୁନାହାନ୍ତି । ମୋର ସେମାନଙ୍କୁ ନିବେଦନ ହେଉଛି ଯେ ସେମାନେ ଏଦିଗରେ ସକ୍ରିୟ ଭୂମିକାଗ୍ରହଣ କରନ୍ତୁ ।
ଭାରତର ଜାତୀୟ ଦଳରେ ଦକ୍ଷ ଖେଳାଳିଙ୍କ ଅଭାବ ବିଭିନ୍ନ ଅବସରରେ ଅନୁଭୂତ ହୋଇଛି । ଏହାର ଅନ୍ୟ ଏକ ଉଦାହରଣ ହେଉଛି କତାରରେ ନିକଟରେ ହୋଇଥିବା ବିଶ୍ୱ କପ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଂଟ । ସେହି ଟୁର୍ଣ୍ଣାମେଂଟରେ ଭାରତ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଭାରତର ସମଗ୍ର ଖେଳରେ କେବଳ ଜଣକ ଉପରେ ହିଁ ଦଳ ନିର୍ଭର କରିଥିଲା । ସେ ହେଉଚନ୍ତି ସୁନୀଲ ଛେତ୍ରୀ । କେବଳ ତାଙ୍କ ଯୋଗୁ ହିଁ ଭାରତ ୨-୦ରେ ବିଜୟୀ ହୋଇଥିଲା । ଅନ୍ୟମାନେ ପୂରା ବିଫଳ ହୋଇଥିଲେ । କେହି ଜଣେ ହେଲେ ବି ଅନ୍ତର୍ଜାତୀୟ ସ୍ତରୀୟ ଖେଳାଳିଭାବେ ଖେଳି ପାରିନଥିଲେ । ସୌଭାଗ୍ୟକୁ ଛେତ୍ରୀଙ୍କୁ ଯୋଗୁ ଦଳ ଜିତିଲା ଏବଂ ୨୦୨୩ ଏସିଆନ କପର ଚୂଡ଼ାନ୍ତ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିପାରିଛି ବୋଲି ସେ କହିଥିଲେ । ସେ କହିଥିଲେ ଯେ କ୍ଲବ ସ୍ତରରେ ଯେଉଁ ପିଲାମାନେ ଖେଳଉଛନ୍ତି,ସେମାନଙ୍କୁ ଜାତୀୟ ଟିମ ଉପଯୋଗ କରିବାଉଚିତ । ନାସନାଲ ଟିମ ଏକ ଏକାଡେମୀ ନୁହେଁ । ଆମେ ଏକ ଖେଳାଳି ଉତ୍ପାଦନକାରୀ କାରଖାନା ନୋହୁଁ ।ନାସନାଲ ଟିମ ସବୁ ଦିଗରେ ସମସ୍ୟାରେ ଘେରି ରହିଛି ।କର୍ତୃପକ୍ଷମାନେ ବାସ୍ତବ ଦିଗକୁ ଧ୍ୟାନଦେଇ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ସେ ମତ ଦେଇଛନ୍ତି ।
