ପ୍ରଥମଥର ପାଇଁ ବାୟୋପିକ ଫିଲ୍ମ କରିବାକୁ ଯାଉଛନ୍ତି ଭାଇଜାନ୍
- ‘ବ୍ଲାକ୍ ଟାଇଗର୍’ ଚରିତ୍ରରେ ଅଭିନୟ କରିବେ ସଲମାନ ଖାନ
ମୁମ୍ବାଇ : ପ୍ରଥମଥର ପାଇଁ ବାୟୋପିକ ଫିଲ୍ମ କରିବାକୁ ଯାଉଛନ୍ତି ବଲିଉଡ଼ ଜଗତର ଭାଇଜାନ୍ ସଲମାନ ଖାନ । ସେ ତାଙ୍କର ୩୨ ବର୍ଷର କ୍ୟାରିୟରରେ ଏଭଳି ଏକ ଫିଲ୍ମ କରିବାକୁ ଯାଉଛନ୍ତି ଯାହା ସେ ପୂର୍ବରୁ କରିନାହାଁନ୍ତି । ତାଙ୍କର ଶେଷ ଫିଲ୍ମ ସେତେ ସଫଳ ହୋଇପାରିଲା ନାହିଁ ଯେତିକି ସେ ଆଶା କରିଥିଲେ। ସେଥିପାଇଁ ସେ ତାଙ୍କର ଆଗାମୀ ଫିଲ୍ମଗୁଡ଼ିକର ଲାଇନ୍ ଅପ୍ ଉରେ ପୁନର୍ବିଚାର କରୁଛନ୍ତି । କମେଡି, ଡ୍ରାମା, ଆକ୍ସନ୍, ରୋମାଣ୍ଟିକ୍ ଫିଲ୍ମ କରିବା ପରେ ସେ ବର୍ତ୍ତମାନ ନିର୍ଦ୍ଦେଷକ ରାଜକୁମାର ଗୁପ୍ତାଙ୍କ ପରବର୍ତ୍ତୀ ଫିଲ୍ମରେ ‘ବ୍ଲାକ୍ ଟାଇଗର’ ଭାବରେ ଜଣାଶୁଣା ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରାଜକୁମାର ଗୁପ୍ତାଙ୍କ ଏହି ପ୍ରୋଜେକ୍ଟ ପ୍ରାଥମିକ ପର୍ଯ୍ୟାୟରେ ଅଛି ।
ସୂଚନା ଯେ, ଏହା ଏକ ଆକ୍ସନ୍ ଥ୍ରୀଲର୍, ଯାହା ଭାରତୀୟ ଇତିହାସର ଏକ ଅବିଶ୍ୱସନୀୟ ସତ୍ୟ କାହାଣୀ ଉପରେ ଆଧାରିତ। ସାଜିଦ୍ ନାଡିଆଡୱାଲାଙ୍କ ସହ ସଲମାନ ଖାନଙ୍କ କାମ ଶେଷ ହେବା ପରେ ଏହି ଫିଲ୍ମ ଫ୍ଲୋର ଉପରକୁ ଯିବ। ଏହି ଫିଲ୍ମଟି ଭାରତୀୟ ଗୁପ୍ତଚର ରବିନ୍ଦ୍ର କୌଶିକଙ୍କ ଜୀବନୀ ଉପରେ ଆଧାରିତ। ରବିନ୍ଦ୍ର କୌଶିକଙ୍କୁ ଭାରତର ସର୍ବଶ୍ରେଷ୍ଠ ଗୁପ୍ତଚର ଭାବରେ ବିବେଚନା କରାଯାଏ, ସେ ବ୍ଲାକ୍ ଟାଇଗର ଭାବରେ ଜଣାଶୁଣା । ରାଜକୁମାର ଗୁପ୍ତା ଗତ ୫ ବର୍ଷ ଧରି ତାଙ୍କ ଜୀବନ ଉପରେ ଗବେଷଣା କରୁଛନ୍ତି ଏବଂ ଶେଷରେ ସେ ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେ ପରଦାରେ ଆଣିବାକୁ ଚାହୁଁଛନ୍ତି । ସେ ଏହି ସ୍କ୍ରିପ୍ଟକୁ ସଲମାନଙ୍କୁ କିଛି ସମୟ ପୂର୍ବରୁ ବର୍ଣ୍ଣନା କରିଥିଲେ, ଯାହା ପରେ ସଲମାନ ଏହି ଫିଲ୍ମରେ କାମ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ୨୦୧୨ ରେ, ଯେତେବେଳେ କବୀର ଖାନଙ୍କ ନିର୍ଦ୍ଦେଶକ ‘ଏକ ଥା ଟାଇଗର’ ରିଲିଜ୍ ହୋଇଥିଲା, ଲୋକମାନେ ଭାବିଥିଲେ ଯେ ଏହି ଫିଲ୍ମଟି ରବିନ୍ଦ୍ର କୌଶିକଙ୍କ କାହାଣୀ ଉପରେ ଆଧାରିତ। କିନ୍ତୁ ଏହା ଏକ କାଳ୍ପନିକ ଗୁପ୍ତଚର ଥ୍ରୀଲର ଫିଲ୍ମ ଥିଲା । ସଲମାନ ଖାନଙ୍କ ପାଖରେ ବର୍ତ୍ତମାନ ‘ଟାଇଗର ୩’,’କଭି ଇଦ୍ କଭି ଦିୱାଲୀ’ ଭଳି ଫିଲ୍ମ ଅଛି ଏବଂ ତାମିଲ ଫିଲ୍ମ ମାଷ୍ଟର ରିମେକରେ ମଧ୍ୟ କାମ କରିବେ। ମାଷ୍ଟରର ସ୍କ୍ରିପ୍ଟିଂ ବର୍ତ୍ତମାନ ଚାଲିଛି ।
