ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ୍-ନବମ ସଂସ୍କରଣ ଉଦ୍ଘାଟିତ : ୮ଟି ଟିମ୍ ମଧ୍ୟରେ ଖେଳାଯିବ ୬୦ ମ୍ୟାଚ୍
ବାଲେଶ୍ୱର : ପୁରୁଣା ବାଲେଶ୍ୱର ଯୁବକ ସଂଘ ପକ୍ଷରୁ ‘ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ୍’ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ର ସିଜନ ୯ ସ୍ଥାନୀୟ କ୍ରିକେଟ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ୮ ଗୋଟି ଟିମ୍ ଭାଗ ନେଉଥିବା ବେଳେ ମୋଟ ୬୦ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ଏପ୍ରିଲ ୨୦ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ବିଜୁ ଜନତା ଦଳର ନେତା ଗଜେନ୍ଦ୍ର ମାଝୀ ଓ ସମାଜସେବୀ ବିଦ୍ୟାଧର ଦଳେଇ ମିଳିତ ଭାବେ ଏହି ଟୁର୍ଣ୍ଣାମେଂଟ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଆୟୋଜକ କମିଟିର କର୍ମକର୍ତାଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାମଂଚଳରେ ରହିଥିବା କ୍ରୀଡା ପ୍ରତିଭାକୁ ଆଗକୁ ଆଣିବା ପାଇଁ ପୁରରୁଣା ବାଲେଶ୍ୱର ପ୍ରିମିୟର ଲିଗ୍ ଭଳି ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସଂଗଠନର ସଭାପତି ମନ୍ମଥ ସ୍ୱାଇଁ ଓ ସମ୍ପାଦକ ସୁକାନ୍ତ ମାଝୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ଉଦ୍ଘାଟନୀ କାର୍ଯ୍ୟକୁ ପରିଚାଳନା କରିଥିଲେ । ତେବେ ଉଦ୍ଘାଟନୀ ଦିନରେ ୧୫ ଓଭର ବିଶିଷ୍ଟ ପ୍ରଥମ ମ୍ୟାଚ ବାଣେଶ୍ୱର -୧୧ ଓ ଦାମଦାସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାନସ ମାଝୀ, ମନୋରଞ୍ଜନ ମହାପାତ୍ର ଓ ସୁକାନ୍ତ ମାଝୀ ପ୍ରମୁଖ ଅମ୍ପାୟାର ଭାବେ ପ୍ରଥମ ଦିନର ଖେଳ ପରିଚାଳନା କରିଥିଲେ । ଗୟାଧର ବେହେରା ଏଥିରେ ତୃତୀୟ ଆମ୍ପାୟାର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ଉଦ୍ଘାଟନୀ ମ୍ୟାଚ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଲୋକେ ଭିଡ଼ ଜମାଇଥିଲେ । ରତିକାନ୍ତ ମାଝୀ, ସତ୍ୟଜିତ ବେହେରା, ଦେବେନ୍ଦ୍ର ପାତ୍ର, ଉଦୟ ମାଝୀ, ଆଷୁତୋଷ ମହାପାତ୍ର, ରବୀନ୍ଦ୍ର ଦାସ, ନିରଞ୍ଜନ ଦାସ, ଲିପୁ ମହାରଣା ପ୍ରମୁଖ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
