ବାଲେଶ୍ୱରରେ ଅନୁଷ୍ଠିତ ହେଲା ଠାକୁର ଅନୁକୂଳଚନ୍ଦ୍ରଙ୍କର ନବନିର୍ମିତ ସତସଙ୍ଗ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ସହରର ଓଟି ରୋଡରେ ବିଶିଷ୍ଟ ସମାଜ ସଂସ୍କାରକ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ନବନିର୍ମିତ ସତସଙ୍ଗ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ଠାକୁରଙ୍କ ୧୩୫ତମ ଆବିର୍ଭାବ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଶ୍ରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ପ୍ରପୌତ୍ର ଅନିନ୍ଦ୍ୟ ଦ୍ୱି୍ୟତି ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂସ୍କାରଯୁକ୍ତ ପରିବାର ଗଠନ ଓ ସମାଜ ନିର୍ମାଣରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ନୀତି ଆଦର୍ଶ ସମ୍ପର୍କରେ ସେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇଥିଲେ ।
ମନ୍ଦିର ପ୍ରତିଷ୍ଠା ଓ ଶ୍ରୀ ଶ୍ରୀ ଠାକୁରଙ୍କ ୧୩୫ତମ ଆବିର୍ଭାବ ମହୋତ୍ସବ ପାଳନ ଅବସରରେ ପ୍ରାତଃ କାଳରୁ ଉଷାକୀର୍ତନ, ସମବେତ ବିନତୀ ପ୍ରାର୍ଥନା, ସ୍ୱସ୍ତି ମହାଯଜ୍ଞ, ନଗତ କୀର୍ତନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ସେହିପରି ସନ୍ଧ୍ୟାରେ ପାଲା ପରିବେଷଣ ସହ ଭଜନ କୀର୍ତନ, ସାନ୍ଧ୍ୟ ବିନତୀ ପ୍ରାର୍ଥନା, ଆତସବାଜି ଓ ବିଚିତ୍ରାନୁଷ୍ଠାନ ପ୍ରଭୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାଜ୍ୟର ବିଭିନ୍ନ ଅଂଚଳରୁ ୩୦ ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏହି ଉତ୍ସବରେ ଯୋଗ ଦେଇଥିଲେ ବୋଲି ସତସଙ୍ଗ କେନ୍ଦ୍ର କର୍ମକର୍ତାମାନେ ପ୍ରକାଶ କରିଥିଲେ । ଶ୍ରଦ୍ଧାଳୁଙ୍କ ନିମନ୍ତେ ବିଶ୍ରାମ ସ୍ଥଳ, ପାର୍କିଂ, ପ୍ରସାଦ ସେବନ ଓ ସତସଙ୍ଗ ଆୟୋଜନ ନିମନ୍ତେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା ସତସଙ୍ଗ କେନ୍ଦ୍ରର ବରିଷ୍ଠ ସଦସ୍ୟ ଡାକ୍ତର ଅଜିତ ଦାସ କହିଥିଲେ । ଏହି ଅବସରରେ ସେଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିଲା ।
୨୦୧୮ ମସିହାରୁ ସତସଙ୍ଗ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମଗ୍ର ଦେଶର ଶ୍ରଦ୍ଧାଳୁଙ୍କ ସହଯୋଗରେ ଏହା ପୂର୍ଣ୍ଣାଙ୍ଗ ହୋଇପାରିଛି ବୋଲି ବାଲେଶ୍ୱର ସତସଙ୍ଗ କେନ୍ଦ୍ରର ସଦସ୍ୟମାନେ କହିଥିଲେ । ଅଦ୍ୟାବଧି ଏହି ଭବ୍ୟ ମନ୍ଦିର ନିର୍ମାଣରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ସେମାନେ ସୂଚନା ଦେଇଥିଲେ । ଦିବସବ୍ୟାପୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ହେବାକୁ ଥିବା ମହୋତ୍ସବରେ ଭକ୍ତ ଶ୍ରଦ୍ଧାଳୁ ଓ ଅନୁରାଗୀମାନେ ବହୁ ସଂଖ୍ୟାରେ ଯୋଗଥିଲେ । ବାଲେଶ୍ୱର ସତସଙ୍ଗ କେନ୍ଦ୍ରର ତତ୍ୱାବଧାରକ ସୁରେନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ସହ ବାସୁଦେବ ବିହାରୀ, ବିଜୟ କୁମାର ମହାପାତ୍ର, ଆର୍ତତ୍ରାଣ ଦାସ, ପ୍ରତୁଲ ଚନ୍ଦ୍ର ଦାସ, ପ୍ରଭାତ କୁମାର ନାୟକ, କାଶୀନାଥ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
