ବାହାବଳପୁର ମୁହାଣରୁ ଉଦ୍ଧାର ହେଲା ଜୀବନ୍ତ ବାଘୁଆ ମଗର, ଗଭୀର ସମୁଦ୍ରରେ ଛାଡ଼ିଲା ପୋଲିସ
ବସ୍ତା : ବାଲେଶ୍ୱର ଜିଲା ସଦର ବ୍ଲକ ଅର୍ନ୍ତଗତ ବାହାବଳପୁର ମୁହାଣରୁ ଏକ ବିଶାଳ କାୟ ଜୀବନ୍ତ ଅବସ୍ଥାରେ ସାମୁଦ୍ରିକ ମତ୍ସ୍ୟ (ବାଘୁଆ ମଗର) ଉଦ୍ଧାର । ପରେ ତାକୁ ବୋଟ୍ ସାହାଯ୍ୟରେ ନିଆଯାଇ ଗଭୀର ସମୁଦ୍ରରେ ଛାଡ଼ିଲା ପୋଲିସ ।
ସୂଚନା ଯେ, ରବିବାର ସକାଳ ସମୟରେ ବାହାବଳପୁର ସମୁଦ୍ର ମୁହାଣରେ ଏକ ବିଶାଳ କାୟ ସାମୁଦ୍ରିକ ମାଛ ଲାଗିଥିବା ଦେଖିବାକୁ ମିଳିଥିଲା । ଏହି ମାଛ ଦେଖି ମତ୍ସ୍ୟଜୀବୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଥିଲା । ମତ୍ସ୍ୟଜୀବୀମାନେ ମାଛଟି ଜୀବନ୍ତ ଥିବାର ଜାଣି ବାହାବଳପୁର ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମତ୍ସ୍ୟଜୀବୀଙ୍କ ସହଯୋଗରେ ବୋଟ ସହାୟତାରେ ମାଛଟିକୁ ଏକ ଘଣ୍ଟାର ଅକ୍ଲାନ୍ତ ଚେଷ୍ଟା ପରେ ତାକୁ ଗଭୀର ସମୁଦ୍ରକୁ ନେଇ ଛାଡ଼ିଥିଲେ । ଏହି ପ୍ରଜାତିର ମାଛକୁ ବାଘୁଆ ମଗର ମତ୍ସ୍ୟଜୀବୀଙ୍କ ପକ୍ଷରୁ କୁହାଯାଇ ଥିବାବେଳେ ଏହାର ଆନୁମାନିକ ଓଜନ ଅଢ଼େଇ ଟନ୍ ପାଖାପାଖି ହେବ । କୌଣସି ବୋଟ୍ରେ ମାଡ଼ ଖାଇ ସେ ମୁହାଣ ଭିତରକୁ ପଶି ଆସିଥିବା ଅନୁମାନ କରାଯାଇଛି ।
