ବାରିପଦା ପିଆରଏମ୍ ମେଡିକାଲ କଲେଜରେ ମାଗଣା ଅସ୍ତ୍ରୋପଚାର
ଶିବିର ଦେଶର ନାମୀଦାମୀ ଡାକ୍ତରୀଦଳଙ୍କ ଦ୍ୱାରା ଚାଲିଛି ବିରଳ ଅସ୍ତ୍ରୋପଚାର ଆସନ୍ତା ୨୦ ଯାଏଁ ଜାରି ରହିବ ମାଗଣା ସ୍ୱାସ୍ଥ୍ୟସେବା
ବାରିପଦା : ଜିଲ୍ଲା ପ୍ରଶାସନ ଏବଂ ପିଆରଏମ୍ ମେଡିକାଲ କଲେଜ ମିଳିତ ଆନୁକୂଲ୍ୟରେ ହସପିଟାଲ କ୍ୟମ୍ପସ ଠାରେ ଚାଲିଛି ମଲ୍ଟି ଡିସିପ୍ଲିନାରୀ ସରଜିକାଲ କ୍ୟାମ୍ପ(ଅସ୍ତ୍ରୋ ପଚାର ଶିବିର) । ଗତ ୧୩ ତାରିଖ ଠାରୁ ଏହି ମାଗଣା ଚିକିତ୍ସା ଶିବିର ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଇତି ମଧ୍ୟରେ ଏହି ମାଗଣା ଅସ୍ତ୍ରୋପଚାର ଶିବିର ୩ଦିନରେ ପହଞ୍ଚିଛି । ରୋଟାରୀ କ୍ଲବ ବାରିପଦା ସହାୟତାରେ ରୋଟାରୀ ମେଡିକାଲ ମିଶନ ପକ୍ଷରୁ ରାହତ ନାମକ ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣାରେ ସେବା ଯୋଗାଇ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ନାମୀଦାମୀ ଡାକ୍ତରୀ ଦଳ ଆସି ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ହସପିଟାଲ ଠାରେ ମାଗଣାରେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିର ଅସ୍ତ୍ରୋପଚାର(ଅପରେସନ) କରୁଛନ୍ତି । ସୂଚନା ମୁତାବକ ଏହି ୮ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ ଅପରେସନ ଠାରୁ ଆରମ୍ଭ କରି ଅର୍ଥୋପେଡିକ, ପ୍ଲାଷ୍ଟିକ ସର୍ଜରୀ, ଜେନେରାଲ ସର୍ଜର୍ରୀ, ସ୍ତ୍ରୀ ଓ ପ୍ରସୂତି ରୋଗ, ଚର୍ମରୋଗ, ୟୁରୋଲଜି, ଦନ୍ତଚିକିତ୍ସା, ଇନଟି(କର୍ଣ୍ଣ ନାଶା ଗଳା) ଅପରେସନ କରାଯାଉଛି । ଏଥି ନିମନ୍ତେ ୨୦ଜଣ ଅଭିଜ୍ଞ ଡାକ୍ତରଙ୍କ ସମେତ ସେମାନଙ୍କ ସହିତ ୧୧ଜଣରୁ ଅଧିକ ଅନୁଭବୀ ସ୍ୱେଚ୍ଛାସେବୀ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଶିମିଳାରୁ ଆନାସ୍ଥେସିଆ(ନିଶ୍ଚେତକ) ଡାକ୍ତର ସୁରେନ୍ଦ୍ର ସିଂ, ମହାରାଷ୍ଟ୍ର ସାତାରାରୁ ଡାକ୍ତର ଶଙ୍କର ମାରୁତି ଗୋସାଭୀ, ଚଣ୍ଡିଗଡରୁ ଚର୍ମ ରୋଗ ବିଶେଷଜ୍ଞ ଡା ଭୂଷଣ କୁମାର, ଝାଡଖଣ୍ଡ ଦେଓଘରରୁ କର୍ଣ୍ଣନାଶା ଗଳାର ବିଶେଷଜ୍ଞ ଡା କେଏସ ବିଏସ କ୍ରିଷ୍ଣା ଶଶାଙ୍କ, ଭୁବନେଶ୍ୱରରୁ ଅନୀଲ କୁମାର ଦାଶ, ପଞ୍ଜାବ ପଠାନକୋଟରୁ ଚ କ୍ଷୁ ବିଶେଷଜ୍ଞ ଡା ସୁଶୀଲ କୁମାର ସାଇନ ଏବଂ ପ୍ରଜ୍ଞା ସାଇନି, ମହାଲିରୁ ଡା ନିବେଦିତା ରଭଜିତ୍ ସିଂ, ହରିଆନା ହମିର ପୁରରୁ ଡା ଅନୀଲ କୁମାର ବର୍ମା, ଚଣ୍ଡିଗଡରୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା ସରଳା ମାଲହୋତ୍ରାଙ୍କ ସମେତ ମହାଲିରୁ ଡା ବିନୀତ ନାଗପାଲ, ମହାରଷ୍ଟ୍ର ପାନଭେଲରୁ ଶଲ୍ୟ ବିଶେଷଜ୍ଞ ଡା ଗିରୀଶ ଗୋବିନ୍ଦ ଗୁଣେ, ପଞ୍ଜାବ ରୋପାରରୁ ଡା ଆର ଏସ ପରମାର, ପଞ୍ଜାବ ମହାଲିରୁ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡା ରଭଜିତ୍ ସିଂ, ମହାରଷ୍ଟ୍ର ନାଣ୍ଡେଡରୁ ଡା ଦେବେନ୍ଦ୍ର ପାଲିୱାଲ, ନୂଆଦିଲ୍ଲୀରୁ ଡା ମାନ ସିଂ, ପଞ୍ଜାବ ମହାଲିରୁ ପ୍ଲାଷ୍ଟିକ ସର୍ଜନ ସୁରେନ୍ଦ୍ର ସିଂ ମାଲକାର, ଭୁବନେଶ୍ୱରୁ ସଞ୍ଜୟ କୁମାର ଗିରି, ଜାମସେଦପୁରରୁ ଡା ଆର ଭାରତ ଆସିଛନ୍ତି । ସେପଟେ ବେଦ ପ୍ରକାଶ କାଲତା, ରାଜେନ୍ଦ୍ର କେ ସାବୁ, ଉଷା ସାବୁ, ସୁବାସ ଗର୍ଗ, ପ୍ରବୀଣ ଗର୍ଗ, ବ୍ରିଜ ପରମାର, ଗୁନୀତ ଆନନ୍ଦ, ଅରୁଣ ମୋଙ୍ଗିଆ, ଚାରୁ ମୋଙ୍ଗିଆ, ସୁନୀତା ସାଇନି ଏବଂ ରାମ ଜାସ ପ୍ରମୁଖ ଆସିଛନ୍ତି । ସୂଚନା ମୁତାବକ ତୃତୀୟ ଦିନ ବୁଧବାରର ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଚର୍ମରୋଗ ବାବଦରେ ୪୨୫ଜଣ ଚିକିତ୍ସିତ ହୋଇଥିବା ବେଳେ ଦୁଇଜଣଙ୍କର ଅସ୍ତ୍ରୋପଚାର କରାଯାଇଛି ସେପଟେ କର୍ଣ୍ଣନାଶା ଓ ଗଳା ଚିକିତ୍ସା ପାଇଁ ୫୮ଜଣ ଆସିଥିବା ବେଳେ ୬ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି । ସେହିପରି ଆଖି ଦେଖାଇବାକୁ ୨୨୬ଜଣ ଆସିଥିବା ବେଳେ ୫୨ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି । ଅସ୍ଥିଶଲ୍ୟ ସମସ୍ୟା ଜନିତ ୮୨ଜଣ ରୋଗୀ ଆସିଥିବା ବେଳେ ୧୩ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି । ସ୍ତ୍ରୀ ଓ ପ୍ରସୂତି ରୋଗ ସମ୍ବଦ୍ଧୀୟ ଚିକିତ୍ସା ପାଇଁ ୧୧୪ଜଣ ଆସିଥିବା ବେଳେ ୩୧ଜଣ ସଫଳ ଅସ୍ତ୍ରୋପଚାର କରାଯାଇଛି । ସେହିପରି ଜେନେରାଲ ସର୍ଜରୀ ପାଇଁ ୭୬ଜଣଙ୍କ ମଧ୍ୟରୁ ୩୫ଜଣଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ପ୍ଲାଷ୍ଟିକ ସର୍ଜରୀ ପାଇଁ ୪୨ଜଣଙ୍କ ମଧ୍ୟରୁ ୧୨ଜଣଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି । ମୋଟ ୧୦୨୫ଜଣ ଆଉଟଡୋର ରୋଗୀଙ୍କ ମଧ୍ୟରୁ ୧୫୧ଜଣଙ୍କର ବିଭିନ୍ନ ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରୋଟାରୀ ଇଣ୍ଟାନେସନାଲର ପୂର୍ବତନ ସଭାପତି ରାଜେନ୍ଦ୍ର କୁମାର ସାବୁ ଏବଂ ଉଷା ସାବୁ ଅପହଞ୍ଚ ଇଲାକାରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୧୯୯୮ରୁ ରାହତ ନାମକ ଏହି ମାଗଣା ସ୍ୱାସ୍ଥ୍ୟସେବା ଦେଶ ବିଦେଶରେ ଯୋଗାଇ ଆସୁଛନ୍ତି । ବାରିପଦାରେ ୨୦୦୭ରେ ପ୍ରଥମ ଥର ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଆୟୋଜିତ ହୋଇଥିବା ବେଳେ ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଛି । ଦେଶର ବିଭିନ୍ନ ସ୍ଥାନରରୁ ନାମୀଦାମୀ ଡାକ୍ତର ଏହି ସ୍ୱାସ୍ଥ୍ୟଶିବିରରେ ଯୋଗ ଦେଇ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ଏହାର ଲାଭ ଉଠାଇବା ପାଇଁ ଡା ଉଷା ସାବୁ ଏବଂ ଡା ପ୍ରବୀଣ ଗର୍ଗ ନିବେଦନ କରିଛନ୍ତି ।
