ମହିଳା ଟି-୨୦ ବିଶ୍ବକପ୍ : ବିଜୟ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍, ଟସ ଜିତି ଭାରତ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି
କେପ୍ଟାଉନ୍ : ମହିଳା ଟି-୨୦ ବିଶ୍ବକପ୍ରେ ବୁଧବାର ୱେଷ୍ଟଇଣ୍ଡିଜ୍-ଭାରତ ମୁକାବିଲା ଅନୁଷ୍ଠିତ ହେବ । ମ୍ୟାଚ ପୂର୍ବରୁ ଟସ ଜିତି ଭାରତ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ୍ । ଫଳରେ ପ୍ରଥମେ ବୋଲିଂ କରିବ ଭାରତ ।
ଆଜି ଭାରତ ନିଜର ଦ୍ବିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ଭେଟିବ। ଆଙ୍ଗୁଠି ଆହତ ଜନିତ ସମସ୍ୟା ଯୋଗୁଁ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଖେଳିନଥିବା ଭାରତୀୟ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ମ୍ୟାଚ୍କୁ ଫେରିବା ସମ୍ଭାବନା ରହିଛି। ଭାରତ ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ହରାଇଥିଲା ବେଳେ ଇଂଲଣ୍ଡଠୁ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା ଇଣ୍ଡିଜ୍। ପାକିସ୍ତାନ ବିପକ୍ଷରେ ବ୍ୟାଟର୍ଙ୍କ ବଳରେ ଭାରତ ଟି-୨୦ ବିଶ୍ବକପ୍ରେ ଶ୍ରେଷ୍ଠ ପଶ୍ଚାତ୍ଧାବନ ବିଜୟ ପାଇଥିଲା। ହେଲେ ବୋଲରମାନଙ୍କ ଖରାପ ବୋଲିଂ ପାଇଁ ପାକିସ୍ତାନ ଦ୍ବିତୀୟ ଭାଗରେ ୯୧ ରନ୍ ଉଠାଇ ଭାରତ ସମ୍ମୁଖରେ ୧୫୦ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ତେଣୁ ଇଣ୍ଡିଜ୍ ବିପକ୍ଷରେ ଭାରତ ତା’ର ବୋଲିଂ ବାହିନୀକୁ ଆହୁରି ଦୃଢ଼ କରିବାକୁ ପଡ଼ିବ। ନିକଟରେ ଶେଷ ହୋଇଥିବା ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଇଣ୍ଡିଜ୍କୁ ଦୁଇ ଥର ହରାଇଥିବାରୁ ଚଳିତ ବିଶ୍ବକପ୍ ଭାରତର ପଲା ଭାରି ରହିବା ସମ୍ଭାବନା ରହିଛି। ରିଚା ଘୋଷ ପାକିସ୍ତାନ ବିପକ୍ଷ ମ୍ୟାଚ୍ର ୧୮ତମ ଓଭରରେ ୩ ବାଉଣ୍ଡରି ମାରି ନିଜର ପରାକ୍ରମ ଦେଖାଇଛନ୍ତି। ଅନ୍ୟପକ୍ଷରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଅଧିନାୟିକା ଶେଫାଳି ବର୍ମା ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇନଥିଲା ବେଳେ ବଡ଼ ସଟ୍ ମାରିବା ଲାଗି ସଂଘର୍ଷ କରିଥିଲେ।
ମନ୍ଧାନାଙ୍କ ଅନୁପସ୍ଥିତିରେ ଖେଳିଥିବା ୟାସ୍ତିକା ଭାଟିଆ ମଧ୍ୟ ଭଲ କରିନଥିଲେ। ଅଧିନାୟିକା ହର୍ମନପ୍ରୀତ କୌରଙ୍କ ପ୍ରଦର୍ଶନ ଭଲ ନଥିଲା। ହେଲେ ଜେମିମା ରଦ୍ରିଗ୍ବେଜଙ୍କ ପାଳି ଯୋଗୁଁ ଭାରତ ମ୍ୟାଚ୍ ଜିତି ପାରିଥିଲା। ମନ୍ଧାନାଙ୍କ ଫେରିବା ଭାରତର ବ୍ୟାଟିଂ ଲାଇନ୍କୁ ଦୃଢ଼ କରିବ। ଅନ୍ୟପକ୍ଷରେ ଇଂଲଣ୍ଡଠୁ ପ୍ରଥମ ମ୍ୟାଚ୍ରେ ହାରିଥିବା ଇଣ୍ଡିଜ୍ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ। ହାଲି ମ୍ୟାଥ୍ୟୁସଙ୍କ ନେତୃତ୍ବାଧୀନ ଏହି ଦଳ ଲଗାତାର ୧୪ ମ୍ୟାଚ୍ ହାରି ଖରାପ ସମୟ ଦେଇ ଗତି କରୁଛି।
