ପ୍ରଖ୍ୟାତ ଚିତ୍ରଶିଳ୍ପୀ ଲଳିତା ଲାଜମିଙ୍କ ପରଲୋକ, ଶୋକବ୍ୟକ୍ତ କଲେ ବିଶିଷ୍ଟ ବ୍ୟକ୍ତି
ନୂଆଦିଲ୍ଲୀ : ଦେଶର ଅନ୍ୟତମ ପ୍ରସିଦ୍ଧ ଚିତ୍ରଶିଳ୍ପୀ ତଥା ଦିବଗଂତ ଅଭିନେତା ଓ ଫିଲ୍ମ ନିର୍ମାତା ଗୁରୁ ଦତ୍ତଙ୍କ ଭଉଣୀ ଲଳିତା ଲାଜମି ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ନ୍ୟାଶନାଲ ଗ୍ୟାଲେର ଅଫ ମର୍ଡନ ଆର୍ଟ(ଏନଜିଏମଏ) ପକ୍ଷରୁ ଏହି ଦୁଃଖଦ ଖବର ସମସ୍ତଙ୍କୁ ଦିଆଯାଇଛି।
ଲଳିତାଙ୍କ ଗୋଟିଏ ଫଟୋ ପୋଷ୍ଟ କରି ଏନଜିଏମଏ ପକ୍ଷରୁ ଲେଖାଯାଇଛି ଯେ “ଅତ୍ୟନ୍ତ ଦୁଃଖ ଓ ମର୍ମାହତ ହୋଇ ଏନଜିଏମଏ, ମୁମ୍ବାଇ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଏହା କହିବାକୁ ଚାହୁଁଛନ୍ତି ଯେ କିମ୍ବଦନ୍ତୀ କଳାକାର ଓ ପ୍ରିଣ୍ଟମେକର ଲଳିତା ଲାଜମି ଆଉ ନାହାନ୍ତି। ଆଜି ସକାଳେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜାଳି।”
୧୯୩୨ ମସିହାରେ ଲଳିତା କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ କବି ଓ ମା’ ଜଣେ ଲେଖକ ଥିଲେ। ସେ ନିଜେ ନିଜେ ହିଁ ବିଭିନ୍ନ କଳା ପ୍ରତି ଆଗ୍ରହ ଦେଖାଇଥିଲେ। ପାରମ୍ପରିକ ନୃତ୍ୟ ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା। ଦୀର୍ଘ ଦଶନ୍ଧି ଧରି ସେ ପ୍ୟାରିସ, ଲଣ୍ଡନ ଓ ନେଦରଲ୍ୟାଣ୍ଡ୍ସ ଭଳି ଅନ୍ତର୍ଜାତୀୟ ମେଳାରେ ତାଙ୍କ ଦ୍ୱାରା ଅଙ୍କିତ ଚିତ୍ରକୁ ପ୍ରଦର୍ଶନ କରାଯାଉଥିଲା।
ସେ ୱାଟରକଲରିଷ୍ଟ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ସେ ତାଙ୍କ ହାତର ଯାଦୁରେ ମର୍ଡନ ଭାରତର ମହିଳାଙ୍କୁ ଚିତ୍ରଣ କରୁଥିଲେ। ମହିଳା ଓ ପୁରୁଷ ମଧ୍ୟରେ ଥିବା ଗୁପ୍ତ ଟେନସନକୁ ସେ ସବୁବେଳେ ଦେଖାଇବାକୁ ଚେଷ୍ଟା କରୁଥିଲେ। ଚିତ୍ରକଳା ଓ ଡ୍ୟାନ୍ସ ବ୍ୟତୀତ ଲଳିତା ବଲିଉଡ ଫିଲ୍ମ ତାରେ ଜମୀନ ପରରେ ଛୋଟିଆ ଅଭିନୟ କରିଥିଲା। ସେ ସିନେମାରେ ଅନୁଷ୍ଠିତ ଇଣ୍ଟ୍ରା ସ୍କୁଲ ଆର୍ଟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଆଜି ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
