ବଲାଙ୍ଗିରର ପ୍ରଥମ ଏଫଏମ ରେଡିଓ ଚ୍ୟାନେଲ ଉଦଘାଟିତ; ସାଧାରଣ ଲୋକଙ୍କ ସ୍ୱର ପାଲଟିବ ୮୯.୬ ଏଫଏମ
ବଲାଙ୍ଗୀର : ବଲାଙ୍ଗିରର ପ୍ରଥମ ତଥା ନିଜସ୍ୱ ଏଫଏମ୍ ଚ୍ୟାନେଲ ଇଣ୍ଡିଆନ ଏଫଏମ୍ ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ହଳଧର ନାଗ ଓ ବଲିଉଡ ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ ଚ୍ୟାନେଲର ଲୋକାର୍ପଣ କରିଛନ୍ତି । ଚ୍ୟାନେଲର ଠିକଣା ଏଫଏମ୍ ୮୯.୬ ରହିଛି । ବିଶ୍ୱ ରେଡିଓ ଦିବସରେ ଲୋକାର୍ପିତ ହୋଇଥିବା ଏହି ଚ୍ୟାନେଲ ମଙ୍ଗଳବାର ଦିନଠୁ କଳା, ସଂସ୍କୃତି, କୃଷି, ନାଟକ, ମନୋରଞ୍ଜନ ଓ ସମ୍ବାଦ ପରିବେଷଣ ଆରମ୍ଭ କରିବ ବୋଲି ଚ୍ୟାନାଲ ପକ୍ଷରୁ କୁହାଯାଇଛି ।
ସ୍ଥାନୀୟ ପାର୍କ ଲେଣ୍ଡ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବଲାଙ୍ଗିରରେ ଏଭଳି ସୁଯୋଗ ସୃଷ୍ଟି କରିଥିବା ଉଦ୍ୟୋକ୍ତାଙ୍କୁ ପ୍ରଶଂସା କରିଥିଲେ । ଏହି ଚ୍ୟାନେଲ ଆଗାମୀ ଦିନରେ ଅଂଚଳର ଲୋକ କଳା, ଭାଷା, ସଂସ୍କୃତିର ବାର୍ତାବହ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ସିନେ କଳାକାର ମନୋଜ ମିଶ୍ର ଏଫଏମ୍ ଚ୍ୟାନେଲ କେବଳ ମେଟ୍ରୋ ସହରମାନଙ୍କରେ ଉପଲବ୍ଧ ହେଉଥିବା ବେଳେ ବଲାଙ୍ଗିରର ନିଜସ୍ୱ ଏଫଏମ୍ ବଲାଙ୍ଗିର ତଥା ବାଲାଙ୍ଗିରବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । ତାସହ ଏହି ଚ୍ୟାନେଲ ଅନେକ କଳାକାର, ଶିଳ୍ପିଙ୍କୁ ଲୋକଲୋଚନକୁ ଆଣିବ ବୋଲି ଆଶା ପ୍ରକାଶ କରିଥିଲେ । ସାମ୍ବାଦିକ ମନୋରଞ୍ଜନ ଯୋଷୀ ରେଡିଓର ଯାତ୍ରା ଓ ଉପଯୋଗିତା ଉପରେ ମତ ପ୍ରକାଶ କରିବା ସହ ଏହି ଚ୍ୟାନେଲ ଜନ ସାଧାରଣଙ୍କ ସ୍ୱର ପାଲଟି ପାରିଲେ ଚ୍ୟାନେଲର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଚ୍ୟାନେଲର ଅଧ୍ୟକ୍ଷ ରବି ରଞ୍ଜନ ପୁଜାରୀ ଏଫଏମ୍ ୮୯.୬ ଏକ ସ୍ୱପ୍ନରୁ ସାକାର ରୂପ ନେବା ଦିଗରେ ଲାଗିଥିବା ଦିର୍ଘ ୬ ବର୍ଷର ନିଜସ୍ୱ ଅନୁଭବ ପ୍ରକାଶ କରି ଏହି ଚ୍ୟାନେଲ ବିଭିନ୍ନ ପ୍ରତିଭାକୁ ବିଶ୍ୱ ଦରବାରରେ ପ୍ରକାଶିତ ହେବାର ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଚ୍ୟାନେଲ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଅଂଚଳବାସୀଙ୍କ କଥା ଓ ବ୍ୟଥା ପ୍ରକାଶ ପାଇଁ ନିଜସ୍ୱ ମଂଚ ସୃଷ୍ଟି କରିବା ହିଁ ଚ୍ୟାନାଲର ଏକ ମାତ୍ର ଉଦ୍ଦେଶ୍ୟ । ଚ୍ୟାନାଲ ଅଗାମୀ ଦିନରେ ନିଜର ପ୍ରସାରଣ ପରିଧି ଓ କାର୍ଯ୍ୟକ୍ରମଗୁଡିକୁ ଲୋକାଭୀମୁଖି କରିବା ଦିଗରେ ନିରନ୍ତର କାମ କରିବ ବୋଲି କହିଥିଲେ ।
ରେଡିଓ ଜକି ସ୍ୱେତା ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଚ୍ୟାନାଲର କର୍ମକର୍ତା ମୁରଲିଧର ପତି ଓ ଶ୍ରୀକାନ୍ତ ଦାଶ ଚ୍ୟାନାଲ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରଶାନ୍ତ ବେହେରା କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଭିନ୍ନ ମାନ୍ୟଗଣ୍ୟ ବ୍ଯକ୍ତି, କଳାକାର, ବୁଦ୍ଧିଜିବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।
