୧୫ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
ସୃଷ୍ଟି ହେବ ୬୦୨୫ ଶିକ୍ଷକ ପଦବୀ
ଆଦର୍ଶ ବିଦ୍ୟାଳୟରେ ଖୋଲିବ ୨୩୭ ଛାତ୍ରାବାସ
ମୁଣ୍ଡଳୀରେ ହେବ ୱାଟର ଟ୍ରିଟମେଂଟ ପ୍ଲାଂଟ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ୧୫ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ବୈଠକରେ ନିଷ୍ପତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ୬୦୨୫ ଏଲଟିଆର (ଲିଭ୍, ଟ୍ରେନିଂ, ରିଜର୍ଭ) ଶିକ୍ଷକ ପଦବୀ ସୃଷ୍ଟିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଛୁଟି , ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷକ ଅନୁପସ୍ଥିତିକୁ ଭରଣା ନିମନ୍ତେ ମୋଟ ପଦବୀ ସଂଖ୍ୟା ୪୦୧୬୬ର ୧୫ % ହିସାବରେ ୬୦୨୫ େଗୋଟି ପଦବୀ ସୃଷ୍ଟି କରାଯିବ ।
କ୍ୟାବିନେଟ୍ ବୈଠକରେ ଓଡିଶା ଆଦର୍ଶ ବିଦ୍ୟାଳୟର ୨୩୭ଟି ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ହଷ୍ଟେଲ ୩ ମହଲା ବିଶିଷ୍ଟ ହେବ ଏବଂ ୧୦୦୦.୧୪ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ ଛାତ୍ରାବାସ ପାଇଁ ୪.୨୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୧ ବର୍ଷ ମଧ୍ୟରେ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜେଲରେ ବନ୍ଦୀଙ୍କର ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦିଆଯିବା ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛନ୍ତି । ପୂର୍ବରୁ ଓଡିଶାର କାରାଗାରାରେ ବନ୍ଦୀଙ୍କର ମୃତ୍ୟୁ ହେଲେ କୌଣସି କ୍ଷତିପୂରଣ ଦିଆଯାଉନଥିଲା । ଜାତୀୟ ମାନବାଧିକାର ଆୟୋଗ କିମ୍ବା ରାଜ୍ୟ ମାନବାଧିକାର ଆୟୋଗଙ୍କ ସୁପାରିଶରେ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ଥିଲା ।
ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ମୁଣ୍ଡଳୀ ଠାରେ ପ୍ରତିଷ୍ଠା ହେବ ଟ୍ରିଟମେଂଟ ପ୍ଲାଂଟ । ୧୩୦ ଏମ୍ଏଲ୍ଡି କ୍ଷମତା ସମ୍ପନ୍ନ ୱାଟର ଟ୍ରିଟ୍ମେଂଟ ପ୍ଲାଂଟ ପାଇଁ ୨୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆସନ୍ତା ମାର୍ଚ୍ଚ ପହିଲାରୁ ଏହାର ନିର୍ମାଣ ଆରମ୍ଭ ହେବ । ଆସନ୍ତା ୨ ବର୍ଷ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତୀତ ଡ୍ରିମସ୍ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଧେୟକକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ବିମାନ ଇନ୍ଧନରେ ଭାଟ୍ କୁ ୧%କୁ ହ୍ରାସ କରିଛନ୍ତି । ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ମୃତ୍ୟୁବରଣ କଲେ ତାଙ୍କର ଟ୍ରାନ୍ସଜେଣ୍ଡର ସନ୍ତାନଙ୍କୁ ପରିବାର ପେନସନ ରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଗତ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୧୦.୦୧.୨୦୨୦ ତାରିଖ ପରେ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀ ବା ପେନସନଭୋଗୀଙ୍କର ଅଣଲିଙ୍ଗୀ ସନ୍ତାନ ଅବିବାହିତା କନ୍ୟା ରୂପେ ପରିଗଣିତ ହେବେ ।
ସେହିପରି ଏମଏସଏମଇ ବିଭାଗର ଓଡିଶା ଫୁଡ୍ ପ୍ରୋସେସିଂ ପଲିସି -୨୦୧୩, ଓଡିଶା ଡେଭେଲପମେଂଟ ଅଫ୍ ଏମଏସଏମଇ – ୨୦୧୬ ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ସମ୍ବଲପୁର ଠାରେ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ୫ ଏକର ଜମି ବିନା ମୂଲ୍ୟରେ ଲିଜ୍ ସୂତ୍ରରେ ଦେବାପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ତେବେ ଭିଜନ ଇଣ୍ଡିଆ ଫାଉଣ୍ଡେସନ୍ କୁ ଜମି ପ୍ରମିୟମ୍ ର ୧୦ ଶତକଡା ହିସାବରେ ଆନୁଷଙ୍ଗିକ ଖର୍ଚ୍ଚ ଦେବାକୁ ପଡିବ । ଏହା ବ୍ୟତୀତ ବାର୍ଷିକ .୨୫ % ବାର୍ଷିକ ଭୂ ରାଜସ୍ୱ ଓ ଭୂ ରାଜସ୍ୱର ୭୫% ହିସାବରେ ବାର୍ଷିକ ସେସ୍ ଦେବାକୁ ପଡିବ । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଳ ନାମରେ ଏକ ବେସରକାରୀ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୪୦ ଏକର ଜମି ଲିଜ୍ ଦେବାପାଇଁ କ୍ୟାବିନେଟ୍ ମଂଜୁର କରିଛି ।
