ଜାତୀୟ ପତାକା ଭାରତର ଆତ୍ମା – ରାଜ୍ୟପାଳ ଗଣେଶୀ ଲାଲ ପୁରୀ ବାଟଗାଁ ଠାରେ୧୦୮ ଫୁଟ ଉଚ୍ଚ ସ୍ତମ୍ଭରେ ଜାତୀୟ ପତାକା ସ୍ଥାପନ
ପୁରୀ : ଜାତୀୟ ପତାକା ଭାରତର ଆତ୍ମା । ଏହା ଭାରତର ପ୍ରକୃତ ଚରିତ୍ର ଓ ପରିଚୟ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ପ୍ରେମରେ ଉଦବୁଦ୍ଧ କରିଥାଏ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜି ପୂର୍ବାହ୍ନରେ ପୁରୀ ବାଟଗାଁ ଠାରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷରୁ ୧୦୮ ଫୁଟ ଉଚ୍ଚ ସ୍ତମ୍ଭରେ ଜାତୀୟ ପତାକା ସ୍ଥାପନ କରାଯାଇଛି । ଏହାକୁ ଉଦଘାଟନ କରି ରାଜ୍ୟପାଳ ପ୍ର. ଗଣେଶୀ ଲାଲ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତ୍ରିରାଙ୍ଗା ତଳେ ସମାନ । ସେମାନେ ଗର୍ବ ଓ ଗୌରବ ଅନୁଭବ କରନ୍ତି ବୋଲି କହିଥିଲେ।। ଜଗନ୍ନାଥଙ୍କ ମହିମା, ତ୍ରିରଙ୍ଗାର ତିନି ରଙ୍ଗର ନିଦର୍ଶନ, ଶାନ୍ତି, ମୈତ୍ରୀର ବର୍ଣ୍ଣନା କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନ ଜିନ୍ଦଲଙ୍କର ଏହି ମହନୀୟତା ପାଇଁ ପ୍ରଶଂସା କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରନ୍ଜନ ଦାଶ ବାଟଗାଁ ଠାରେ ବିଶାଳ ଜାତୀୟ ପତାକା ସ୍ଥାପନ ଦ୍ୱାରା ଲୋକ ମାନଙ୍କ ମଧ୍ୟରେ ଭକ୍ତି ସହ ଜାତୀୟତା ଭାବନା ଅଧିକ ପ୍ରକଟିତ ହେବ ବୋଲି କହିବା ସହ ଜାତୀୟ ପତାକା ଓ ନିକଟରେ ଥିବା ଜୟୀ ରାଜଗୁରୁଙ୍କ ମୂର୍ତି ଓ ସ୍ଥାନର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜିନ୍ଦଲ ନିର୍ବାହ ପାଇଁ ମତ ଦେଇଥିଲେ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ପତାକା ସ୍ଥାପନ ପାଇଁ ଜିନ୍ଦଲ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ଜାତୀୟ ଚେତନା ଓ ଦେଶପ୍ରେମ ଗଠନରେ ଏହା ସହାୟକ ହେବ ବୋଲି କହିଥିଲେ । ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରି ଫ୍ଲାଗ ଫାଉଣ୍ଡେସନର ଅଧ୍ୟକ୍ଷ ନବୀନ ଜିନ୍ଦଲ ହର ଘର ତ୍ରିରଙ୍ଗା ହର ଦିନ ତ୍ରିରଙ୍ଗା ଲକ୍ଷ୍ୟରେ ଏହା ସ୍ଥାପନ ହୋଇଛି । ଅନେକ ଛୋଟ ଲଗାଇବା ଅପେକ୍ଷା ବଡ଼ ପତାକା ସ୍ଥାପନ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଏହାକୁ ଦୂରରୁ ମଧ୍ୟ ଦେଖି ଗର୍ବିତ ହୋଇପାରିବେ । ସେ ଆମେରିକାରେ ଶିକ୍ଷା ଲାଭ କରିବା, ସେଠାରେ ଜାତୀୟ ପତାକାର ସମ୍ମାନ ଦେଖି ଆମ ଦେଶରେ ଏହାକୁ ଉଡାଇବାକୁ ଆଶା କରି ତ୍ରିରଙ୍ଗାକୁ ସମ୍ମାନର ସହ ସମସ୍ତେ ଓ ସବୁବେଳେ ଉଡାଇବା ପାଇଁ ଆଇନଗତ ଲଢ଼େଇ ସମ୍ପର୍କରେ ସୂଚନା ଦେଇଥିଲେ । ଜାତୀୟ ପତାକା ସମ୍ମାନର ସହ ଉଡେଇବା ଆମ ସାମ୍ବିଧାନିକ ଅଧିକାର । ଏହାକୁ ଗର୍ବର ସହ ପ୍ରତ୍ୟେକ ଅନୁଭବ କରିବାକୁ ସେ ଆହ୍ୱାନ ଦେବା ସହ ପୁରୀରେ ଏହାର ସ୍ଥାପନ ପାଇଁ ପ୍ରଶାସନର ସହଯୋଗକୁ କୃତଜ୍ଞତା ଜଣାଇଥିଲେ । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏହି ଗୌରବମୟ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ଼ଃ. କନୱର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିନ୍ଦଲର ସିଏସଆର ପ୍ରେସିଡେଂଟ ଓ ଗ୍ରୁପ ହେଡ ପ୍ରଶାନ୍ତ କୁମାର ହୋତା କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।୧୦୮ ଫୁଟ ଉଚ୍ଚ ସ୍ତମ୍ଭରେ ୩୬ ଫୁଟ ରେ ୨୪ ଫୁଟର ଏହି ପତାକା ସ୍ଥାନୀତ ହୋଇଛି ।
