ଦେଶରେ ଆଉ ୬୦,୭୫୩ କରୋନା ସଂକ୍ରମିତ ଚିହ୍ନଟ ଓ ୧,୬୪୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍ ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୬୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୬ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ନୂତନ ସଂକ୍ରମଣସଂଖ୍ୟା କମ୍ ରହିଛି।
ଶନିବାର ଗତ ୨୪ଘଣ୍ଟାରେ ୬୦ହଜାର ୭୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ହଜାର ୬୪୭ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୯୭ହଜାର ୭୪୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୮ଲକ୍ଷ ୨୩ହଜାର ୫୪୬କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୮୫ହଜାର ୧୩୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୮୬ଲକ୍ଷ ୭୮ହଜାର ୩୯୦ଜଣ ସୁସ୍ଥ ହୋଇଥିବା ବେଳେ ୭ଲକ୍ଷ ୬୦ହଜାର ୦୧୯ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
