ଡାକ କର୍ମଚାରୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା
ବାଲେଶ୍ୱର : ବାଲେଶ୍ୱର ଡାକ କର୍ମଚାରୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଜିଲା ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତିର ସଭାପତି ଅଜୟ ନାରାୟଣ ଦାସ ଏଥିରେ ସଭାପତିତ୍ୱ କରିଥିଲେ । ବାଲେଶ୍ୱର ସମବାୟ ଉପ-ନିବନ୍ଧକ ସୀତାପତି କରୁଣାକର ମାଝୀ ମୁଖ୍ୟଅତିଥି ଓ ସହକାରୀ ଉପ-ନିବନ୍ଧକ ଗୋପବନ୍ଧୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମିତିର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଡାକ ସମବାୟ ସମିତିର ୧୧ବର୍ଷ ଧରି ହୋଇ ନଥିବା ଅଡିଟ ହୋଇ ଯାଇଥିବାକୁ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ । ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ୨୦୨୨-୨୩ର ବାର୍ଷିକ ବିବରଣୀ ପାଠ ଓ ଆୟବ୍ୟୟର ଆର୍ଥିକ ଅଟକଳ ଉପସ୍ଥାପନ କରିବା ପରେ ତାହା ଅନୁମୋଦନ ଲାଭ କରିଥିଲା । ବିଭିନ୍ନ ପ୍ରସ୍ତାବ ମଧ୍ୟରେ ପୂର୍ବରୁ ଦିଆଯାଇଥିବା ଋଣ ପରିମାଣ ୧ଲକ୍ଷ ଟଙ୍କାରୁ ୧ଲକ୍ଷ ୫୦ ହଜାରକୁ ବୃଦ୍ଧି, ୧୦ବର୍ଷର ଅଡିଟ୍ ପରେ ଲାଭାଂଶରୁ ୨ ପ୍ରତିଶତ ବର୍ତ୍ତମାନ ଥିବା ସମସ୍ତ ସମବାୟ ସମିତିର ସଭ୍ୟମାନଙ୍କୁ ଅଂଶଧନ ଉପରେ ଦିଆଯିବା ପାଇଁ ସର୍ବସମ୍ମତି କ୍ରମେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବାଲେଶ୍ୱର-ଭଦ୍ରକ ପୋଷ୍ଟାଲ୍ ଡିଭିଜନ୍ ସମିତିର ସଭ୍ୟମାନେ ଯୋଗ ଦେଇଥିଲେ ।ଏହି ବୈଠକରେ ସଭ୍ୟ ଗୋପାଳ ଚନ୍ଦ୍ର ପଢ଼ିହାରୀ, କୁଞ୍ଜବିହାରୀ ଦାଶ, କୁଳମଣି ଗିରି, ରବୀନ୍ଦ୍ର ମହାକୁଡ଼, ପ୍ରସନ୍ନ କୁମାର ବିଶ୍ୱାଳ, ରାଜେନ୍ଦ୍ର ମଲ୍ଲିକ୍, କାର୍ତ୍ତିକ ଚନ୍ଦ୍ର ଦାସ, କାର୍ତ୍ତିକ ଚନ୍ଦ୍ର ଜାନା, ତନୁଜା ପୃଷ୍ଟି, ଆରତୀ ହାଁସଦା, ନୃସିଂହ ଚରଣ ପାଶା, ବୁଦ୍ଧୁରାମ ସିଂ, ଅରୂପ କୁମାର ପଣ୍ଡା, ମହେଶ୍ୱର ନାୟକ, ହରିହର ଭୂୟାଁ, ନିତ୍ୟାନନ୍ଦ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଭ୍ୟ ସରୋଜ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
