ମିତ୍ରପୁର ଚର୍ଚ୍ଚର ସୁବର୍ଣ୍ଣ ଜୟନ୍ତୀ ସମାରୋହ
ବାଲେଶ୍ୱର : ଲୁର୍ଦ୍ଧୁ ମାଆ ମାରିଆଙ୍କ ପର୍ବ ଓ ମିତ୍ରପୁର ଗୀର୍ଜାର ୫୦ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଶଫ ଥୋମାସ ଥିରୁଥାଲିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁର୍ଦ୍ଧୁ ମାଆ ମାରରିଆଙ୍କ ପର୍ବ ସାଙ୍ଗକୁ ଚର୍ଚ୍ଚର ୫୦ ବର୍ଷ ପୂର୍ତ୍ତିକୁ ନେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ସମାଜ ସେବା ସାଙ୍ଗକୁ ସ୍ନେହ ଓ ପ୍ରେମ ବାଣ୍ଟିବା ଏବଂ ଯୁବଗୋଷ୍ଠୀଙ୍କୁ ଶିକ୍ଷିତ କରାଇବାରେ ଜୀବନର ସାର୍ଥକତା ରହିଛି ବୋଲି ସେ କହିଥିଲେ । ନିଜେ ଖୁସୀରେ ରହିବା ସହିତ ଅନ୍ୟକୁ ଖୁସୀ ରଖିବା ହିଁ ପ୍ରଭୁଙ୍କର ନିର୍ଦ୍ଦେଶ ବୋଲି ବିଶଫ ଥିରୁଥଲିଲ ମତ ପ୍ରକାଶ କରିଥିଲେ । ମିତ୍ରପୁର ଚର୍ଚ୍ଚର ମୁଖ୍ୟ ଫାଦର ପଲ କୁନମ ପରମପଥ ଏଥିରେ ଅଧ୍ୟକ୍ଷତା କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କ ସହଯୋଗରୁ ମିତ୍ରପୁର ଚର୍ଚ୍ଚ ଆଜି ୫୦ ବର୍ଷରେ ପହଞ୍ଚି ପାରିଛି ବୋଲି ସେ କହିଥିଲେ । ଏନେଇ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ସୁବର୍ଣ୍ଣ ଜୟନ୍ତୀରେ କେବଳ ବାଲେଶ୍ୱର ଜିଲା ନୁହେଁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ବହୁ ବିଶିଷ୍ଟ ବ୍ୟକ୍ତି ୯ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସେ ସୂଚନା ଦେଇଥିଲେ । ବାଲେଶ୍ୱର ଡାଓସିସିର ପ୍ରଶାସକ ଫାଦର ଆଇଜାକ ପୁତୁନାଗଡ଼ି ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ୫୦ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଏହି ଚର୍ଚ୍ଚ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ପ୍ରତୀକ ହୋଇପାରିଛି ବୋଲି କହିଥିଲେ । ଉଦଯାପନ ଅବସରରେ ଧନ୍ୟବାର୍ଦ ଅର୍ପଣ ପର୍ବ, ଦିବ୍ୟଯଜ୍ଞ, କ୍ୟାଣ୍ଡେଲ ଶୋଭାଯାତ୍ରା, ୫୦ ବର୍ଷ ଧରି ଚର୍ଚ୍ଚ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଉଦଯାପନ ଉତ୍ସବରେ ବାଲେଶ୍ୱର ସମେତ ଓଡ଼ିଶା ତଥା ରାଜ୍ୟ ବାହାରୁ ୧୦ ହଜାରରୁ ଅଧିକ ଲୋକେ ଯୋଗ ଦେଇଥିଲେ ।
