ସମ୍ମୁଖ କୋଭିଡ-୧୯ କର୍ମୀଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ୨୬ଟି ରାଜ୍ୟର ୧୧୧ଟି କେନ୍ଦ୍ରରୁ ୬ଟି ଅନୁକୂଳ କୋର୍ସ ଆରମ୍ଭ
- ଦୁଇରୁ ତିନି ମାସରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଶିକ୍ଷିତ ହେବେ ଏକ ଲକ୍ଷରୁ ଅଧିକ ଯୁବକଯୁବତୀ
- ଭୂତାଣୁ ଉପସ୍ଥିତ ରହିଛି ଏବଂ ଏହା ରୂପ ବଦଳାଇବାର ସମ୍ଭାବନା ଅଛି, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ
- କରୋନା ସମୟ କୌଶଳ, ପୁନଃକୌଶଳ ଓ ଅତିରିକ୍ତ କୌଶଳ ହାସଲର ଗୁରୁତ୍ୱକୁ ପ୍ରମାଣିତ କରିଛି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୬ଟି ରାଜ୍ୟର ୧୧୧ଟି କେନ୍ଦ୍ରରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୧ ଲକ୍ଷ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଆହୁରି ବହୁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ, ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରୋନା ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ପରବର୍ତୀ ପଦକ୍ଷେପ । ଭୂତାଣୁ ଉପସ୍ଥିତ ରହିଛି ଏବଂ ଏହା ରୂପ ବଦଳାଇବାର ସମ୍ଭାବନା ଅଛି, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । ମହାମାରୀର ଦ୍ୱିତୀୟ ଲହରୀ ଆମକୁ ଏହା ଦର୍ଶାଇ ଦେଇଛି ଯେ ଏହି ଭୂତାଣୁ ଆମ ସାମ୍ନାରେ କିଭଳି ସମସ୍ୟା ଛିଡ଼ା କରାଇପାରେ । ଦେଶ ଏହି ସବୁ ସମସ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ଏକ ଲକ୍ଷରୁ ଅଧିକ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଏ ଦିଗରେ ଏକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆମକୁ ସ୍ମରଣ କରାଇ କହିଥିଲେ ଯେ ଏହି ମହାମାରୀ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର, ସଂସ୍ଥା, ସମାଜ, ପରିବାର ଓ ବ୍ୟକ୍ତିବିଶେଷଙ୍କ ସାମର୍ଥ୍ୟର ପରୀକ୍ଷା ନେଇଛି । ଏଥିସହିତ ବିଜ୍ଞାନ, ସରକାର, ସମାଜ, ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଭାବେ ଆମର ସାମର୍ଥ୍ୟ ବଢ଼ାଇବା ଲାଗି ଏହା ଆମକୁ ସତର୍କ କରାଇ ଦେଇଛି । ଭାରତ ଏହି ଆହ୍ୱାନକୁ ଗ୍ରହଣ କରିଛି ଏବଂ ଦେଶର ପ୍ରୟାସ କୋଭିଡ ଚିକିତ୍ସା ଓ ଯତ୍ନ ଲାଗି ବ୍ୟବହୃତ ହେଉଥିବା ପିପିଇ କିଟ୍ସ, ଟେଷ୍ଟିଂ ଓ ଅନ୍ୟ ଚିକିତ୍ସା ଭିତ୍ତିଭୂମିର ସ୍ଥିତିରୁ ପ୍ରମାଣିତ ହୋଇଛି । ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ ଦୂରବର୍ତ୍ତୀ ଇଲାକାରେ ଥିବା ଡାକ୍ତରଖାନାଗୁଡ଼ିକୁ ଭେଂଟିଲେଟର ଓ ଅକ୍ସିଜେନ କନସେେଂଟ୍ରଟର ଯୋଗାଇ ଦିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ୧୫୦୦ରୁ ଅଧିକ ଅକ୍ସିଜେନ ପ୍ଲାଂଟ ସ୍ଥାପନ କରାଯାଇଛି । ଏ ସମସ୍ତ ପ୍ରୟାସ ମଧ୍ୟରେ, ଦକ୍ଷ ମାନବ ସମ୍ବଳ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଏବଂ କରୋନା ଯୋଦ୍ଧାମାନଙ୍କର ବର୍ତମାନର ସାମର୍ଥ୍ୟକୁ ବଢ଼ାଇବା ଲାଗି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ ଦୁଇରୁ ତିନି ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆଜିଠାରୁ ଆରମ୍ଭ ହୋଇଥିବା ୬ଟି ପ୍ରଶିକ୍ଷଣ କୋର୍ସ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଦାବି ମୁତାବକ ଦେଶର ଶୀର୍ଷ ବିଶେଷଜ୍ଞମାନେ ଡିଜାଇନ୍ କରିଛନ୍ତି । ଛଅଟି ଅନୁକୂଳ କର୍ତବ୍ୟ ଭୂମିକା ଯଥା ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଜରୁରିକାଳୀନ ଚିକିତ୍ସା ସହାୟତା, ନମୁନା ସଂଗ୍ରହ ସହାୟତା ଏବଂ ଚିକିତ୍ସା ସରଞ୍ଜାମ ପରିଚାଳନା ସହାୟତା ନିମନ୍ତେ ଏହି ପ୍ରଶିକ୍ଷଣ ଦିଆଯିବ । ଏଥିରେ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯିବ ଏବଂ ଏପରି କାର୍ଯ୍ୟରେ ପୂର୍ବରୁ କିଛି ପ୍ରଶିକ୍ଷଣ ପାଇଥିବା ଯୋଦ୍ଧାମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ ମିଳିପାରିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଅଭିଯାନ ଏକ ନୂତନ ଉତ୍ସାହ ପ୍ରଦାନ କରିବ ଏବଂ ଆମର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ସମୟ କୌଶଳ, ପୁନଃକୌଶଳ ଓ ଅତିରିକ୍ତ କୌଶଳ ହାସଲର ଗୁରୁତ୍ୱକୁ ପ୍ରମାଣିତ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରଥମ ଥର ପାଇଁ ସ୍କିଲ ଇଣ୍ଡିଆ ମିଶନ ଦେଶରେ ଭିନ୍ନ ଭାବେ ଆରମ୍ଭ ହୋଇଥିଲା, ଏକ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆରମ୍ଭ କରାଯାଇଥିଲା ଏବଂ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଆଜି ସ୍କିଲ୍ ଇଣ୍ଡିଆ ମିଶନ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ସମୟର ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ ପ୍ରଦାନ କରୁଛି । ଗତବର୍ଷ ଠାରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମହାମାରୀ ମଧ୍ୟରେ ପ୍ରଶିକ୍ଷଣ ଦିଆଯାଇସାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଜନସଂଖ୍ୟାର ଆକାରକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି । ବିଗତ ସାତ ବର୍ଷ ଧରି ଏ ଦିଗରେ ଲକ୍ଷ୍ୟବଦ୍ଧ ପ୍ରୟାସ କରାଯାଇଛି । ନୂଆ ଏମ୍ସ, ନୂଆ ମେଡ଼ିକାଲ କଲେଜ ଓ ନୂଆ ନର୍ସିଂ କଲେଜ ଖୋଲାଯାଇଛି । ସେହିପରି ଡାକ୍ତରୀ ଶିକ୍ଷା ଏବଂ ତତସଂକ୍ରାନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି । ଯେଉଁ ଗମ୍ଭୀରତା ଓ ଗତିରେ ସ୍ୱାସ୍ଥ୍ୟ ପେସାଦାରମାନଙ୍କୁ ପ୍ରସ୍ତୁତ କରିବାର ଗତି ଜାରି ରହିଛି ତାହା ଅଭୂତପୂର୍ବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମାଂଚଳର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ନିୟୋଜିତ ଆଶା, ଏଏନଏମ, ଅଙ୍ଗନୱାଡ଼ି ଓ ସ୍ୱାସ୍ଥ୍ୟ କର୍ମୀମାନେ ଆମ ସ୍ୱାସ୍ଥ୍ୟ କ୍ଷେତ୍ରର ଦୃଢ଼ ସ୍ତମ୍ଭ ଏବଂ ସେମାନଙ୍କୁ ସାଧାରଣତଃ ଆଲୋଚନା ପରିସରକୁ ଅଣାଯାଏ ନାହିଁ । ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ ସହାୟତା କରିବା ଲାଗି ସଂକ୍ରମଣ ନିରାକରଣ କରିବା ଦିଗରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ପ୍ରତ୍ୟେକ ଓ ସମସ୍ତ ଦେଶବାସୀଙ୍କ ସୁରକ୍ଷା ପାଇଁ ସମସ୍ତ ବାଧାବିଘ୍ନ ସତ୍ତ୍ୱେ କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଥିଲେ । ଗ୍ରାମାଂଚଳ, ଉପାନ୍ତ ଅଂଚଳ, ପାର୍ବତ୍ୟ ଓ ଆଦିବାସୀ ଅଂଚଳରେ ସଂକ୍ରମଣ ପ୍ରତିହତ କରିବା ଲାଗି ସେମାନେ ବହୁତ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ୨୧ ଜୁନ୍ ଠାରୁ ଆରମ୍ଭ ହେବାକୁ ଯାଉଥିବା ଅଭିଯାନ ସଂକ୍ରାନ୍ତରେ ବହୁ ମାର୍ଗଦର୍ଶିକା ଜାରି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜୁନ ୨୧ ତାରିଖ ପରେ ୪୫ ବର୍ଷରୁ କମ ବୟସ୍କ ଲୋକମାନଙ୍କୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କ ଭଳି ଟିକାକରଣ ସୁବିଧା ଯୋଗାଇ ଦିଆଯିବ । କରୋନା ନିୟମ ପାଳନ ସହିତ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ ଟିକା ଦାନ କରିବା ପ୍ରତି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଦେବା ସହିତ ଆଶା ବ୍ୟକ୍ତ କରିଥିଲେ ଯେ ସେମାନଙ୍କର ଏହି ନୂଆ କୌଶଳ ଦେଶବାସୀଙ୍କ ଜୀବନ ରକ୍ଷା କ୍ଷେତ୍ରରେ ବିନିଯୋଗ ହୋଇପାରିବ ।
