ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ମୃତିସଭାରେ ଏମିତି କହିଲେ ଝିଅ ଦୀପାଳି ଓ ପୁଅ ବିଶାଲ…
ଝାରସୁଗୁଡ଼ା : ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶ ଅବସରରେ ସରବାହାଲ ହାଇସ୍କୁଲ ପଡ଼ିଆରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ସ୍ମୃତିସଭାରେ ଯୋଗ ଦେଇଥିଲେ । ସାଂସଦ ସୁରେଶ ପୂଜାରଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ଥିଲେ ।
ଏହି ଅବସରରେ ବାପାଙ୍କୁ ମନେ ପକାଇ ଝିଅ ଦୀପାଳି ଦାସ କହିଥିଲେ ଯେ, ବାପା କହିଥିଲେ ଯେଉଁଠି ରାମ ଅଛନ୍ତି, ସେଠି ରାବଣ ବି ଅଛନ୍ତି । ଯେଉଁଠି କୃଷ୍ଣ ଅଛନ୍ତି ସେଠି କଂସ ବି ଅଛନ୍ତି । କିନ୍ତୁ ସବୁବେଳେ ସତ୍ୟର ଜୟ ହେବ । ବାପାଙ୍କ ନାଁ ପୂର୍ବରୁ କେବେ ସ୍ୱର୍ଗତଃ ଲାଗିବ ବୋଲି ଭାବି ନଥିଲି । ବାପା ସବୁବେଳେ ଝାରସୁଗୁଡ଼ାର ବିକାଶ ଚାହୁଁଥିଲେ । ବାପା ଆମକୁ ମୁଣ୍ଡ ନୁଆଁଇ ନୁହେଁ ମୁଣ୍ଡ ଟେକି ଚାଲିବା ଶିଖାଇଛନ୍ତି ।
ସେହିପରି ପୁଅ ବିଶାଲ ଦାସ କହିଥିଲେ ଯେ, ବାପା ଝାରସୁଗୁଡ଼ାର ସର୍ବାଙ୍ଗୀନ ବିକାଶ ଚାହୁଁଥିଲେ । ବାପାଙ୍କ ସ୍ୱପ୍ନ ଆମେ ଭାଇଭଉଣୀ ମିଶି ପୂରଣ କରିବୁ । ବାପା କେତେ ଲୋକପ୍ରିୟ ଥିଲେ ତାହା ସେ ଗଲାପରେ ଜାଣୁଛୁ । ବାପା ଯେଉଁ ଲୋକ ସଞ୍ଚିଥିଲେ ଆଜି ସେହି ବିଶାଳ ପରିବାର ଆମ ସହ ଅଛନ୍ତି ।
