ଝାରସୁଗୁଡ଼ାରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ କୃଷି ମନ୍ତ୍ରୀ
ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଝାରସୁଗୁଡ଼ା ଗସ୍ତ ସମୟରେ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ଵାଇଁ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ପ୍ରକଳ୍ପ, ଫାର୍ମପଣ୍ଡ ଯୋଜନା, ସୌର ଜଳନିଧ୍ଵ, ମିଲେଟ୍ ମିଶନ, କୃଷି ଯାନ୍ତ୍ରିକୀକରଣ, କୃଷି ସାମଗ୍ରୀ ଯୋଗାଣର ସ୍ଥିତି, ‘ଘରଦୁଆରେ ପୁଷ୍ଟି’ ଆଦି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଗୋ – ସୁଗମ ପୋର୍ଟାଲର କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ ବଜେଟ ବ୍ୟୟବରାଦ ଅର୍ଥକୁ ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥୁ ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।ବୈଠକରେ ବାରି ଅଗଣା କୁକୁଡ଼ା ଚାଷ ସମେତ ବିଭିନ୍ନ ଅଣ୍ଡାଦିଆ ଏବଂ ବ୍ରଏଲର କୁକୁଡ଼ା ଚାଷ , ମତ୍ସ୍ୟ ପୋଖରୀ ଯୋଜନା ଓ ବ୍ଲାୟୋଫ୍ଲକ୍ ପଦ୍ଧତିରେ ମାଛଚାଷ ସଂପର୍କରେ ସମୀକ୍ଷା କରିଥିଲେ ।
ବୈଠକରେ ଝାରସୁଗୁଡ଼ା ଜିଲାର ସିଡିଭିଓ ଡ . ପବିତ୍ର କୁମାର ପରିଜା, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ମନୋରଞ୍ଜନ ନନ୍ଦ , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ଦାଶ, ଜିଲାମତ୍ସ୍ୟ ଅଧିକାରୀ କୃତିଲ ଚନ୍ଦ୍ର ଦାସ , କୃଷି ବିଭାଗର ସ୍କିମ୍ ଅଫିସର ଡି.ଏସ୍. ବରିହା, ଆପିକଲର ଡିଷ୍ଟ୍ରିକ୍ଟ ମ୍ୟାନେଜର ଗିରିଶଙ୍କର ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
