ବିଧାନସଭା ଆଗରୁ ବୁଦ୍ଧିଜିବିଙ୍କ ମତ ଲୋଡ଼ିଲେ ନରସିଂହ ବଲାଙ୍ଗୀରର ସମସ୍ୟା ଓ ଦାବି ଉପରେ କଲେ ଆଲୋଚନା
ବଲାଙ୍ଗୀରର ଶିକ୍ଷା, ଜଳସେଚନ ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ହେବ ଜୋରଦାର ଲଢ଼େଇ
ବଲାଙ୍ଗୀର : ଚିରାଚରିତ ଢଙ୍ଗରେ ପ୍ରତ୍ୟେକ ବିଧାନସଭା ଅଧିବେଶନ ଆଗରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀରର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜିବି, ଛାତ୍ର ସଂଗଠନ, ବ୍ୟବସାୟୀ ସଂଘ ଓ ନାଗରିକ ସମାଜକୁ ନିମନ୍ତ୍ରଣ କରି ବିଧାନସଭା ଅଧିବେଶନରେ ବଲାଙ୍ଗିର ର କେଉଁ କେଉଁ ସମସ୍ୟା ଓ ଦାବି ବିଧାନସଭାରେ ଉତ୍ଥାପନ କରିବେ ସେ ଉପରେ ନାଗରିକ ସମାଜର ମତ ଲୋଡିଥାନ୍ତି । ଏହି କ୍ରମରେ ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ବଲାଙ୍ଗିର ର ସମସ୍ତ ନାଗରିକଙ୍କୁ ଡାକି ଏଥର ମଧ୍ୟ ତାଙ୍କ ଠାରୁ ମତ ଲୋଡିଥିଲେ । ସେ ସୂଚନା ଦେଇଥିଲେ ଯେ ଆମର ଅନେକ ଦାବି ଅଛି, ସମସ୍ୟା ଅଛି କିନ୍ତୁ ଆପଣମାନେ ସେ ଦାବି ସମସ୍ୟା ଭିତରୁ ଏପରି ସମସ୍ୟା ସବୁ ଆଲୋଚନା କରନ୍ତୁ ଯେଉଁ ସବୁକୁ ଆମେ ଆଗାମୀ ଅଧିବେଶନରେ ସରକାରଙ୍କ ଆଗରେ ଉତ୍ଥାପନ କରିବା । ଏହି କ୍ରମରେ ବଲାଙ୍ଗିର ରେ ବହୁ ଦିନର ଦାବି କୃଷି ବିଶ୍ୱ ବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ କର୍ମଚାରୀଙ୍କ ଅଭାବ, ସହରରେ ସିଟି ବସ୍ ଚାଲୁ କରିବା, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରାଇବା, ବିକଳାଙ୍ଗ ଏବଂ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆଶ୍ରୟ ସ୍ଥଳି ନିର୍ମାଣ, ବଲାଙ୍ଗିର ରେ ସଦ୍ୟ ଦେଖାଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା, କପା ସର୍ବନିମ୍ନ ସହାୟକ ମୁଲ୍ୟରେ ପ୍ରଦାନ କରିବା, ପଶ୍ଚିମ ଓଡିଶା ବିକାଶ ପରିଷଦ ର ମୁଖ୍ୟ କାର୍ଯ୍ୟାଳୟ ବଲାଙ୍ଗିର ରେ ସ୍ଥାପନ କରିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସ୍ମାର୍ଟ ଲାଇବ୍ରେରୀ, ପର୍ଯ୍ୟାପ୍ତ ପରିମାଣରେ ହଷ୍ଟେଲ ସିଟ ଏବଂ ଅଡିଟରିୟମ କାମରେ ଖିପ୍ରତା ଆଣିବା, ସାମାଜିକ ଅର୍ଥନୈତିକ ଅବସ୍ଥାକୁ ଦେଖି ସରକାର ପ୍ରଦାନ କରୁଥିବା ଅନୁଦାନର ଏକ ସମ୍ପୁର୍ଣ୍ଣ ବିବରଣୀ ସରକାରଙ୍କଠୁ ଆଣିବା, ବନ୍ଧକଟାର ପୁର୍ନଉଦ୍ଧାର କୁ ନେଇ ଉପସ୍ଥିତ ନାଗରିକ ସମାଜ ପ୍ରଶ୍ନ ସହ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଏଥିରୁ ମୁଖ୍ୟତଃ କୃଷି ବିଶ୍ୱ ବିଦ୍ୟାଳୟ ସରକାରଙ୍କ ବଲାଙ୍ଗିର କୁ ଅନୁଦାନ ପ୍ରଦାନର ବିବରଣୀ, ଶିକ୍ଷା କ୍ଷେତ୍ରରେ ଥିବା କର୍ମଚାରୀ ଅଭାବ, ଡାକ୍ତରଖାନାର ଡାକ୍ତର ତଥା କର୍ମଚାରୀ ଅଭାବ, ଲୋୟର ସୁକତେଲ ସମ୍ପୁର୍ଣ୍ଣ କରାଇବା, ପର୍ଯ୍ୟଟନର ବିକାଶ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ନିଶ୍ଚିତ ଭାବରେ ଏ ବିଧାନସଭାରେ ସେ ପ୍ରଶ୍ନ ଉତ୍ଥାପନ ସହ ଏହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ତାହା ସହ ଆଉ କିଛି ଦାବି ଯଥା ରେଳଷ୍ଟେସନ ତଥା ଜନଗହଳି ଅଂଚଳରେ ସେନିଟେରି ନେପକିନ ବଂଟନ କେନ୍ଦ୍ର, ସିଟି ବସ୍ ଇତ୍ୟାଦି ଦାବିକୁ ସେ ନିଶ୍ଚିତ ପୁରଣ କରିପାରିବେ ବୋଲି କହିଥିଲେ । ମତ ବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରସିଦ୍ଧ ବାଳୁକା ଶିଳ୍ପି ଓମ୍ ପ୍ରକାଶ ସାହୁ ତୁଷୁରା ଠାରେ ଥିବା ତେଲନଦୀର ଏକ ସ୍ଥାନରେ ଅତି ଉତମ ପଟୁବାଲି ମିଳୁଥିବାରୁ ସେଠାରେ ଏକ ବାଳୁକା କଳା କେନ୍ଦ୍ର ପ୍ରତିଷ୍ଠା ସହ ୨୫ ରୁ ୩୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଡ କରିପାରିଲେ ସେ ବିଶ୍ୱର ସର୍ବବୃହତ ଏବଂ ସର୍ବୋଚ୍ଚ ଏକ ବାଳୁକା କଳା ତିଆରି କରିବେ ଯାହାକି ଗିନିସ ବୁକ୍ ରେ ସ୍ଥାନ ପାଇବ ବୋଲି ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଯଦି ଆମ ଅଂଚଳ ଓ ତାର କଳାକାର ର ନାଁ ଗିନିସ ବୁକ୍ ରେ ସ୍ଥାନ ପାଇବ ତେବେ ଏଥି ପାଇଁ ଦରକାର ହେଉଥିବା ଅନୁଦାନ ରାଶି ଯୋଗାଡ କରିବା ପାଇଁ ସେ ଉଦ୍ୟମ କରିବେ, ଏହାସହ ସେ କହିଥିଲେ ନାଗରିକ ସମାଜ ଆଜିକାଲି ବିଭିନ୍ନ ସମସ୍ୟାକୁ ନେଇ ଆଉ ମୁହଁ ଖୋଲୁନାହିଁ ତେଣୁ ବଲାଙ୍ଗିର ର ଅନେକ ନ୍ୟାର୍ଯ୍ୟ ଦାବି ଥିଲେ ହେଁ ତାହା ସରକାରଙ୍କ କାନରେ ପଡୁ ନାହିଁ ତେଣୁ ନାଗରିକ ସମାଜ ଛୋଟ ହେଉ କି ବଡ ହେଉ ପ୍ରତ୍ୟେକ ସମସ୍ୟାକୁ ନେଇ ପ୍ରତିକ୍ରିୟାଶୀଳ ହେବାକୁ ଅନୁରୋଧ କରିଥିଲେ । ଆଜିର ଏହି କାର୍ଯର୍ର୍୍ୟକ୍ରମରେ ପ୍ରଫେସର ମଧୁସୁଦନ ପତି, ଧର୍ମେନ୍ଦ୍ର ନନ୍ଦ, ପ୍ରକାଶ ଦାଶ, ଗୋପବନ୍ଧୁ ନାଥ, ଡା.ଏଲ୍.କେ. ମହାପାତ୍ର, ନାଗରିକ କମିଟି ସଭାପତି ବେଲାରସିଂ ଭୋଇ, ସଂପାଦକ ମନୋରଂଜନ ସାହୁ, ପୂର୍ବତନ ମହିଳା କଲେଜ ଅଧ୍ୟକ୍ଷା ସୁଷମା ମଂଜରି ମହାପାତ୍ର, ବିକ୍ରମାନନ୍ଦ ବହିଦାର, ମାହେଶ୍ୱରୀ ମହିଳା ଶାଖା, ମୋହନ ଜୈନ, ଗୁରୁ ଘାସିରାମ ମିଶ୍ର, ଅଂଚଳ ପଣ୍ଡା, ସତ୍ୟନାରାୟଣ ଦାଶ, ବିରେନ୍ଦ୍ର ମିଶ୍ର, ଶିବ ପ୍ରସାଦ ନନ୍ଦଙ୍କ ସମେତ ଅନେକ ଛାତ୍ର ଛାତ୍ରୀ ଏବଂ ବୁଦ୍ଧିଜିବି ଆଲୋଚନାରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
